କୋଟଗଡ ଥାନା ଅଞ୍ଚଳରେ ମାଓ ପୋଷ୍ଟର : ବିଭିନ୍ନ ରାଜନେତାଙ୍କୁ ମାଓବାଦୀଙ୍କ ଚେତାବନୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାର ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର । ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇ ସରକାରୀ ଅର୍ଥ ହରିଲୁଟ୍‌ ଏବଂ ରାଜସ୍ୱ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଭଳି ସଙ୍ଗୀନ ଅଭିଯୋଗ ସତ୍ୱେ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଲେଖାଯାଇଛି । ଜିଲ୍ଲାରେ କିଛି ସାମ୍ବାଦିକ ଶାସକ ଦଳ ଓ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଆମେ ତାହାର ଖୁଲାସା କରିବୁ । ଭିଜିଲାନ୍ସ ବିଭାଗ ନ ଧରିଲେ ଆମେ ବସନ୍ତ ଭାଟଙ୍କ ପରି ହତ୍ୟା କରିବୁ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ବୋଲି ଲଗାଯାଇଥିବା ପୋଷ୍ଟରରେ ଲେଖାଯାଇଛି । ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କେହି ଦୁର୍ବୁତ୍ତ ମାଓବାଦୀ ନାଁରେ ପୋଷ୍ଟର ଲଗାଇ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ତାହା ତଦନ୍ତ କଲେ ଜଣାପଡିବ ।

Leave A Reply

Your email address will not be published.

four × 5 =