om academy

ସନ୍ଥକବିଙ୍କ ସମାଧିପୀଠର ଉନ୍ନୟନ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର

  • ଡିପିଆର ପ୍ରସ୍ତୁତି ପାଇଁ ପହଞ୍ଚିଲେ ଓଟିଡିସିର ଟେକ୍ନିକାଲ ଟିମ୍‌

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ଏହି ଅନୁଦାନ ଅର୍ଥରେ କେଉଁ କେଉଁ ଉନ୍ନୟନକାମ କରାଯିବ ସେନେଇ ଏକ ଡିପିଆର ପ୍ରସ୍ତୁତ କରିବାକୁ ଆଜି ରାଜ୍ୟ ପର୍ଯ୍ୟଟନ ନିଗମର ଏକ ବୈଷୟିକ କମିଟି ଆସି ଖଲିଆପାଲିର ଏହି ପର୍ଯ୍ୟଟନସ୍ଥଳିକୁ ପରିଦର୍ଶନ କରିଛି । ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ ଅଧିକାରୀ ରହିଥିବା ଆର.କେ. ଦଳାଇଙ୍କ ନେତୃତ୍ୱରେ ପର୍ଯ୍ୟଟନ ନିଗମର ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଅଫିସର ଚିତ୍ତରଂଜନ ସେନଗୁପ୍ତା, ଆର୍କିଟେକ୍ଟ ରୋଜାଲିନ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପଧାନ, କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ମହାରଣା ପ୍ରମୁଖ ସଂଧ୍ୟା ୫ଟାରେ ପହଞ୍ଚି ଭୀମଭୋଇ ସମାଧିପୀଠଟ୍ରଷ୍ଟର କର୍ମକର୍ତ୍ତା, ଖଲିଆପାଲି ମଠର ବାବା ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଭୀମଭୋଇ ସମାଧିପୀଠ ଟ୍ରଷ୍ଟର ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ସଂପାଦକ ଜନ୍ମେଜୟ ସ୍ୱାଇଁ, ପୀଠର ପରିଚାଳକ ବାବା ସନ୍ୟାସୀ ବାବା, ସୋନପୁର ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ଶେଷଦେବ ମେହେର, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଖଲିଆପାଲି ଗ୍ରାମର ବରିଷ୍ଠ ନାଗରିକ ମହାଦେବ ବଗର୍ତ୍ତି, କାର୍ତ୍ତିକ ଭୋଇ, ଅଷ୍ଟମ ମେହେର, ସତ୍ୟନାରାୟଣ ପୂଜାହାରୀ, ବିଭୁତିଭୁଷଣ ନେଗୀ ପ୍ରମୁଖ ଏହି ଟିମ୍‌ ସହିତ ଆଲୋଚନା କରି ପୀଠରେ ଭୋଗମଣ୍ଡପ, ଜ୍ୟୋତିମଣ୍ଡପ, ପୀଠରେ ଆଲୋକ ବ୍ୟବସ୍ଥା, ଖାଲିଥିବା ସ୍ଥାନରେ ଟାଇଲ ଲଗାଯାଇ ସୌନ୍ଦର୍ଯ୍ୟକରଣ କରାଯିବାକୁ ପ୍ରସ୍ତାବ କରାଯାଇଥିଲା । ଆଗକୁ ଅନ୍ୟ ଅନୁଦାନ ଆସିଲେ ସଭାମଣ୍ଡପ ସମ୍ମୁଖରେ ଏକ ବଡ ଓପନ ହଲ ନିର୍ମାଣ କରାଯିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ପୀଠର ଆଧ୍ୟାତ୍ମିକ ପରିବେଶକୁ ବଜାୟ ରଖି ଉନ୍ନୟନ କାମକୁ ଓଟିଡିସି ନିଜେ ଏହି କାମକୁ ଟେଣ୍ଡର ଡକାଇ କରାଇବ ବୋଲି ପର୍ଯ୍ୟଟନ ଅଧିକାରୀ କହିଥିଲେ । ଏହି ପରିଦର୍ଶନ ପରେ ଏହି ଟିମ୍‌ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରି ଡିପିଆର ଫାଇନାଲ କରିବେ ବୋଲି କହିଥିଲେ । ପ୍ରକାଶଯୋଗ୍ୟ ଯେ, ଗତ ୧୯୯୯ ମସିହାରୁ ଖଲିଆପାଲି ପୀଠର ଉନ୍ନତି ପାଇଁ ବିଧାୟକଙ୍କ ଉନ୍ନୟନପାଣ୍ଠି, ସୋନପୁର ଟ୍ରଷ୍ଟଫଣ୍ଡ, ସୋନପୁର ବ୍ଲକ, ରାଜ୍ୟ ପର୍ଯ୍ୟଟନ ବିଭାଗ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନରେ ଅନେକଗୁଡିଏ ଉନ୍ନୟନ କାମ କରାଯାଇଛି । ଏହି ପୀଠକୁ ବର୍ଷସାରା ମହିମାଭକ୍ତ, ପର୍ଯ୍ୟଟକ ଓ ଗବେଷକମାନେ ଆସୁଥିବାରୁ ସେମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.

2 × 3 =