ମଞ୍ଜୁଲତା ସାଏଙ୍କୁ ସହଯୋଗର ହାତ ବଢାଇଲା ଆର୍ଷବିଦ୍ୟା ସେବା ସନ୍ମିଧି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ ମହାମାରୀ କାଳରେ ଅନେକ ପରିବାର ଉଜୁଡି ଯାଇଛି । ପରିବାରର ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇ କେକେ ବେସାହାରା ହୋଇଯାଇଛନ୍ତି । ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଏଭଳି ଦାରୁଣ ପରିସ୍ଥିତର ସମ୍ମୁଖୀନ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ମଞ୍ଜୁଲତା ସାଏ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଲୋୟର ସୁକତେଲ ବୁଡି ଅଞ୍ଚଳ ଖୁଣ୍ଟପାଲି ଗ୍ରାମର ମଞ୍ଜୁଲତା ଜଣେ ସାଧାରଣ ଗୃହିଣୀ । ହେଲେ କୋଭିଡ୍‌ ମହାମାରୀ ସମୟରେ ତାଙ୍କ ଉଜୁଡା ସଂସାର ଓ ଜୀବନ ସଂଘର୍ଷ କାହାଣୀ ସ୍ୱାଭିମାନ ଓ ସ୍ୱାବଲମ୍ବନର ଭିନ୍ନ ବାର୍ତ୍ତା ଦେଇଛି । ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ଖଣ୍ଟପାଲି ଗ୍ରାମର ମଞ୍ଜୁଲତାଙ୍କ ଝିଅ ଚିନୁ (୧୫), ପୁଅ ଚନ୍ଦନ (୧୩), ଶାଶୁ ଫୁଲ (୬୦) ଙ୍କ ନେଇ ପରିବାର । ୨୦୦୯ ମସିହାରେ ମଞ୍ଜୁଲତାଙ୍କ ସ୍ୱାମୀ ରତ୍ନମଣିଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଶ୍ୱଶୁର ସତ୍ୟାନନ୍ଦ ସାଏ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଇ ଆସୁଥିଲେ । ପରିବାରରେ ସେ ଜଣେ ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି । ଗତ ମେ ୬ ତାରିଖରେ ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଗଲା । ଶେଷ ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ପରିବାର ସଦସ୍ୟମାନେ ଭାଙ୍ଗି ପଡିଲେ । ମଞ୍ଜୁଲତାଙ୍କ ଝିଅ ଚିନୁ ଏବେ ମାଟ୍ରିକ ଓ ପୁଅ ଚନ୍ଦନ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ଘରେ ବୃଦ୍ଧା ଶାଶୁମା’ । ଏହି ଗରିବ ପରିବାର ଚଳାଇବାକୁ ଅର୍ଥନାହିଁ । ଏଭଳି ପରିସ୍ଥିତିରେ ଭାଙ୍ଗିନ ପଡି ସିଲାଇ ବିଦ୍ୟା ଜାଣିଥିବାରୁ ମଞ୍ଜୁଲତା ପରିବାର ଚଳାଇବା ପାଇଁ ଅଗଭର ହେଲେ । କରୋନା ମହାମାରୀ କାଳରେ ସ୍ୱାଭିମାନୀ ମଞ୍ଜୁଲତା ଘରେ ସିଞ୍ଚିତ ଅର୍ଥରେ ଏକ ପୁରୁଣା ସିଲାଇ ମେଶିନ କିଣିବାକୁ ଉଦ୍ୟମ କଲେ । ତାଙ୍କ ସଂଘର୍ଷ କଥା ଜାଣିବାକୁ ପାଇ ବଲାଙ୍ଗିର ଆଧ୍ୟାତ୍ମିକ ଅନୁଷ୍ଠାନ ଆର୍ଷବିଦ୍ୟା ସେବା ସନ୍ମିଧିର ରାଜ୍ୟ ଆବାହକ ବ୍ରଜ ଭୂଷଣ ଦାଶ ଓ ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ଦିଲିପ ସାହୁ ଓ ପ୍ରଶାନ୍ତ ମହାକୁର । ମଞ୍ଜୁଲତାଙ୍କ ପାଇଁ ଏକ ନୂଆ ସିଲେଇ ମେସସନ କିଣିକରି ଦେଇଛନ୍ତି । ପରିସ୍ତିତି ଆଗରେ ଭାଙ୍ଗି ନ ପଡି ଉକ୍ତ ସିଲେଇ ମେଶିନରେ ପରିବାର ଚଳାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମଞ୍ଜୁଲତା । ଝିଅ ଚିନୁ ଓ ପୁଅ ଚନ୍ଦନକୁ ଭଲ ମଣିଷ କରି ଗଢିବାର ସଂକଳ୍ପ ନେଇଛନ୍ତି । ଶାଶୁମା’ଙ୍କ ସେବା ଯତ୍ନ କରି ପରିବାର ସମ୍ଭାଳୁଛନ୍ତି ।

Leave A Reply

Your email address will not be published.

nineteen − seventeen =