
- ତୁରନ୍ତ ପାଣ୍ଠି ପ୍ରଦାନ କରିବାକୁ ରାଷ୍ଟ୍ରୀୟ ସରପଞ୍ଚ ସଂଗଠନ ସଭାପତି ରବି ରଥଙ୍କ ଦାବି
ବ୍ରହ୍ମପୁର, (କେପିଏନ୍ଏସ୍) : ପଞ୍ଚାୟତ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ? ଆରମ୍ଭ ହେଲାଣି । ସବୁ ଦଳ ରଣନୀତିରେ ମାତିଲେଣି । କିନ୍ତୁ ପଞ୍ଚାୟତ ବିକାଶ ପାଇଁ କାହାର ଚିନ୍ତା ନାହିଁ । ନୂଆ ଆର୍ଥିକ ବର୍ଷ(୨୦୨୬-୨୭)ରେ ରାଜ୍ୟର କୌଣସି ପଞ୍ଚାୟତକୁ ଟଙ୍କାଟିଏ ପାଣ୍ଠି ମିଳିନି । ରାସ୍ତା, ଡ୍ରେନ୍, ପିଇବା ପାଣି ପ୍ରକଳ୍ପ, ସଫେଇ, ପୋଖରୀ ଖୋଳା ଓ ଅନ୍ୟ କୌଣସି ବିକାଶ କାମ କରିବାକୁ ଚାହିଁଲେ ବି ହାତରେ ଟଙ୍କାଟିଏ ନାହିଁ । ଗାଁ ଲୋକେ ଅଭିଯୋଗ କରି ଥକି ଗଲେଣି । ପୁଣି କିଛି ବ୍ଲକରେ ବ୍ଲକ ଡେଭଲପମେଣ୍ଟ ପ୍ଲାନ୍(ବିପି) ଦାଖଲରେ ବିଡିଓ-ବ୍ଲକ୍ ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚଙ୍କ ଭିତରେ ଶୀତଳଯୁଦ୍ଧ ଚାଲିଛି । ତୃଣ ମୂଳସ୍ତରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲାଣି । ଏ ସମ୍ପର୍କରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନର ରାଜ୍ୟ ସଭାପତି ରବି ରଥ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜି ଠାରେ ସରପଞ୍ଚମାନେ ଚଲାଇଥିବା ଆନ୍ଦୋଳନକୁ ସମର୍ଥନ କରିବା ସହ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଞ୍ଚାୟତଗୁଡ଼ିକୁ ଶୀଘ୍ର ପାଣ୍ଠି ଯୋଗାଇବାକୁ ଦାବି କରିଥିଲେ । ପଞ୍ଚାୟତକୁ ଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ କମିଶନ ସୁପାରିଶ ଟଙ୍କା ତୁରନ୍ତ ପ୍ରଦାନ ପାଇଁ ସେ ଦାବି କରିବା ସହ ଅନ୍ୟାନ୍ୟ ଦାବିଗୁଡ଼ିକ ପୂରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ପଞ୍ଚାୟତଗୁଡ଼ିକୁ ପାଣ୍ଠି ଯୋଗାଣ ନ ହେବାରୁ ପଞ୍ଚାୟତଗୁଡ଼ିକରେ ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ । ପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପରିଷଦକୁ ପାଣ୍ଠି ଦେବାକୁ ସରକାର ନୂଆ ଆର୍ଥିକ ବର୍ଷରୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ବିଳମ୍ୱରେ ହେଲେ ବି କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ(ସିଏଫ୍ସି) ନୂଆ ଗାଇଡଲାଇନ୍ ଆଣିଲା । ରାଜ୍ୟ ସରକାର କେଉଁ ପଞ୍ଚାୟତ ଓ ବ୍ଲକକୁ କେତେ ଟଙ୍କା ଦେବେ ଓ କେଉଁ ପ୍ରକଳ୍ପରେ ଏହା ଖର୍ଚ୍ଚ ହେବ, କମିଶନ ସରକାରଙ୍କୁ ତାହା ସୁପାରିସ କଲେ । ସିଏଫ୍ସି ଗାଇଡଲାଇନ୍ ମୁତାବକ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା(ଜିପିଡିପି), ବ୍ଲକ୍ ଉନ୍ନୟନ ଯୋଜନା(ବିପିଡିପି) ଓ ଜିଲ୍ଲା ପରିଷଦ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଅଗଷ୍ଟ ୧୫ ତାରିଖ ସୁଦ୍ଧା ବାର୍ଷିକ ପ୍ଲାନ୍ ଦାଖଲ ପାଇଁ କଣ୍ଟ ଥିଲା । ସ୍ୱାଭାବିକ ଭାବେ ଆର୍ଥିକ ବର୍ଷ ଆରମ୍ଭକୁ ପଞ୍ଚାୟତକୁ ବକେୟା ଟଙ୍କା ମିଳିଯାଏ । ସମ୍ପ୍ରତି ଦୀର୍ଘ ୭ ମାସ ଧରି ପଞ୍ଚାୟତକୁ ଟଙ୍କାଟିଏ ପାଣ୍ଠି ମିଳିନାହିଁ । ସେପ୍ଟେମ୍ୱରରେ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ନୂଆ ପାଣ୍ଠି ମିଳେ । ଏହି ପାଣ୍ଠି ହିଁ ପଞ୍ଚାୟତ ବିକାଶର ମୂଳ ଉତ୍ସ । କେନ୍ଦ୍ରରୁ ପାଣ୍ଠି ମିଳିବା ପରେ ରାଜ୍ୟ ସରକାର ପାଣ୍ଠି ଦିଅନ୍ତି । ପୁଣି ଅକ୍ଟୋବର ଶେଷ ବା ନଭେମ୍ୱର ବେଳକୁ ଆଉ ଏକ କିସ୍ତି ମିଳିଯାଏ । ଦୁଇ କିସ୍ତିରେ ପ୍ରତି ପଞ୍ଚାୟତକୁ ହାରାହାରି ଭାବେ ୪୦ରୁ ୫୦ଲକ୍ଷ ଟଙ୍କାର ପାଣ୍ଠି ମିଳିବା କଥା । ଜନସଂଖ୍ୟା ଆଧାରରେ ଏହି ପାଣ୍ଠି ଅଧିକ ଓ କମ୍ ହୁଏ । କିନ୍ତୁ ଏବେ ସୁଦ୍ଧା ଦୁଇ କିସ୍ତି ଭିତରୁ ଗୋଟିଏ ବି କିସ୍ତି ମିଳିନି । ପାଣ୍ଠି ମିଳିନଥିବାରୁ ପଞ୍ଚାୟତଗୁଡ଼ିକ ହାତ ବାନ୍ଧି ବସିଛନ୍ତି । ମୁଣ୍ଡ ଉପରେ ନିର୍ବାଚନ । ପୁଣି ଅଞ୍ଚଳର ବିକାଶକୁ ନେଇ ଲୋକଙ୍କ ଅଭିଯୋଗ, ଦାବିର ଲମ୍ୱା ତାଲିକା । ପାଣ୍ଠି ନ ଥିବାରୁ ଗୋଟିଏ ବି ବିକାଶ କାମ ଆଗେଇ ପାରୁନି । ପାଣ୍ଠି ଆସିନି, କାମ କେମିତି କରିବୁ ? ଜନପ୍ରତିନିଧିମାନେ ଲୋକଙ୍କୁ ସିଧା ସିଧା ଏଭଳି ଶୁଣାଇ ଦେଉଛନ୍ତି । ବିରୋଧୀ ଦଳର ଜନପ୍ରତିନିଧିମାନେ ଏହି ସୁଯୋଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଉଛନ୍ତି । କିନ୍ତୁ ଶୀର୍ଷସ୍ତରରେ ଏହାକୁ ନେଇ କିଛି ନିଷ୍ପତ୍ତି ହୋଇପାରୁନି । ପଞ୍ଚାୟତକୁ ପାଣ୍ଠି ମିଳିନଥିବାରୁ ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଯେଭଳି ପ୍ରସଙ୍ଗ କରିବା କଥା, ତାହା କରିବାରେ ବିଫଳ ହୋଇଛନ୍ତି । ସେପଟେ ବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ନେଇ ଅନେକ ବ୍ଲକରେ ବିଡିଓ ଏବଂ ବ୍ଲକ୍? ଅଧ୍ୟକ୍ଷ ଓ ସମିତି ସଭ୍ୟଙ୍କ ଭିତରେ ଟଣାଓଟରା ଚାଲିଛି । ବ୍ଲକ୍ ବୈଠକରେ ଅଧ୍ୟକ୍ଷ/ଅଧ୍ୟକ୍ଷା, ସମିତି ସଭ୍ୟ ଓ ସରପଞ୍ଚ ଓ ଅଧିକାରୀଙ୍କ ଉପସ୍ଥିତିରେ ବାର୍ଷିକ ଯୋଜନା(ବିପିଡିପି) ପ୍ରସ୍ତୁତ ନେଇ ଆଲୋଚନା ହୁଏ । ସବୁ ସଦସ୍ୟଙ୍କ ମତାମତ ନେଇ କେଉଁ ପ୍ରକଳ୍ପ ସ୍ଥାନ ପାଇବ ତାହା ଚୂଡ଼ାନ୍ତ କରାଯାଏ । ଏନେଇ ରିଜୋଲ୍ୟୁସନ ପ୍ରସ୍ତୁତ ହୁଏ । ରିଜୋଲ୍ୟୁସନ ଆଧାରରେ ବିପିଡିପି ତିଆରି କରି ଇ-ଗ୍ରାମ ସ୍ୱରାଜ ପୋର୍ଟାଲରେ ଅପଲୋଡ୍ କରାଯାଏ । କିନ୍ତୁ ଅନେକ ବ୍ଲକରେ ବିପିଡିପି ତିଆରି ବେଳେ ଜନପ୍ରତିନିଧିଙ୍କ ମତ ନିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ପଞ୍ଚାୟତକୁ ପାଣ୍ଠି ମିଳିନଥିବାରୁ ସରପଞ୍ଚ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି । ସରପଞ୍ଚ ମହାସଂଘ ସମ୍ପାଦକ ତପନ ଚକ୍ରବର୍ତ୍ତୀ କହିଛନ୍ତି, ପଞ୍ଚାୟତକୁ ପାଣ୍ଠି ମିଳିନଥିବାରୁ କୌଣସି ବିକାଶମୂଳକ କାମ କରିପାରୁନୁ । ଏହା ବିରୋଧରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ । ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି, ପଞ୍ଚାୟତକୁ ପାଣ୍ଠି ମିଳୁନଥିବାରୁ ବିକାଶ କାମ ବାଧାପ୍ରାପ୍ତ ହେଉଛି । ତୁରନ୍ତ ପାଣ୍ଠି ଦିଆଯାଉ । କେନ୍ଦ୍ର ସରକାରଙ୍କ ଇ-ଗ୍ରାମ ସ୍ୱରାଜ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟର ମୋଟ ୬୭୪୯ ପଞ୍ଚାୟତ ଭିତରୁ ୬୭୨୧ ପଞ୍ଚାୟତ ଜିପିଡିପି ଦାଖଲ କରିଛନ୍ତି । ଆଉ ୨୮ଟି ପଞ୍ଚାୟତ ଜିପିଡିପି ଅପଲୋଡ୍ କରିନାହାନ୍ତି । ସେହିଭଳି ୩୧୪ଟି ବ୍ଲକରେ ୩୦୬ଟି ବ୍ଲକ୍ ନିଜ ବାର୍ଷିକ ପ୍ଲାନ୍ ଦାଖଲ କରିଛନ୍ତି । ଆଉ ୮ଟି ବ୍ଲକ୍ ପ୍ଲାନ୍ ଦାଖଲ କରିନାହାନ୍ତି । ୩୦ଟି ଜିଲ୍ଲା ପରିଷଦରୁ ୮ଟି ଜିଲ୍ଲା ପରିଷଦ ଏବେ ସୁଦ୍ଧା ବାର୍ଷିକ ପ୍ଲାନ୍ ଦେଇନାହାନ୍ତି । କଟକ, ଯାଜପୁର, ଭଦ୍ରକ, ପୁରୀ, ସୋନପୁର, କଳାହାଣ୍ଡି, ଗଞ୍ଜାମ ଓ ନବରଙ୍ଗପୁର ଏବେ ଯାଏଁ ପ୍ଲାନ୍ ଦାଖଲ କରିନାହାନ୍ତି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ଲାନ୍ ଦାଖଲ କରିନଥିବା ପଞ୍ଚାୟତିରାଜ ସଂସ୍ଥା ଚଳିତବର୍ଷର ପାଣ୍ଠି ହରାଇବେ ବୋଲି ପୂର୍ବରୁ ସରକାର ସତର୍କ କରାଇଥିଲେ । ଏହା ସତ୍ୱେ ଏହି ଜିଲ୍ଲା ପରିଷଦ ଓ କିଛି ପଞ୍ଚାୟତ, ବ୍ଲକ୍ ପ୍ଲାନ୍ ଦାଖଲରେ ବିଫଳ ହୋଇଛନ୍ତି ।
