jayashree

ବିଜୁ ଏକ୍ସପ୍ରେସ୍ ୱେରେ ଅଧାପନ୍ତରିଆ କାମ, ସନିମାଲରେ ଭୟଙ୍କର ଦୁର୍ଘଟଣା – ଘରେ ପଶିଲା କାର୍, ୪ ଗୁରୁତର

ବରଗଡ, (ମୁନ୍ନା ସାହୁ) : ବିଜୁ ଏକ୍ସପ୍ରେସ୍ ୱେର ଅବ୍ୟବସ୍ଥିତ ନିର୍ମାଣ କାର୍ଯ୍ୟ ଏବେ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି । ବରଗଡ଼ ଜିଲ୍ଲା ସୋହେଲାରୁ ଆରମ୍ଭ ହୋଇ ନୂଆପଡ଼ା ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାର ଅନେକ ସ୍ଥାନରେ ନିର୍ମାଣ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । କେଉଁଠି ରାସ୍ତା ନିର୍ମାଣ ଅସମ୍ପୂର୍ଣ୍ଣ ତ ଆଉ କେଉଁଠି ନିର୍ମାଣ ହୋଇଥିବା ରାସ୍ତା ଏଯାଏଁ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇନାହିଁ । ଫଳରେ ଗୋଟିଏ ରାସ୍ତାରୁ ଅନ୍ୟ ରାସ୍ତାକୁ ଯିବା ସମୟରେ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଅବ୍ୟବସ୍ଥା ଯୋଗୁଁ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଅନେକ ଲୋକ ଜୀବନ ହରାଇଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇ ପରିବାରକୁ ଅସହାୟ କରିଦେଇଛନ୍ତି । ଏହାରି ଭିତରେ ଆଜି ପୁଣି ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ବରଗଡ଼ ଜିଲ୍ଲାର ସନିମାଲଠାରେ ଏକ କାର୍ ଭାରସାମ୍ୟ ହରାଇ ସିଧାସଳଖ ଏକ ଘର ଭିତରକୁ ପଶିଯାଇଛି । ସୂଚନା ଅନୁସାରେ, ପଦ୍ମପୁର ଅଞ୍ଚଳର ଏକ ପରିବାର ସୋହେଲା ପଟରୁ ନିଜ ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ, ଘରର ଏକ ବଡ଼ ଅଂଶ ଭାଙ୍ଗିଯାଇଥିବା ବେଳେ କାର୍‌ଟି ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଛି । କାର୍‌ରେ ଥିବା ପରିବାରର ଚାରିଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବରଗଡ଼ ହସ୍ପିଟାଲକୁ ପଠାଯାଇଛି । ଅନ୍ୟପଟେ ଖବର ପାଇ ମେଲଛାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି । ତେବେ ବିଜୁ ଏକ୍ସପ୍ରେସ୍ ୱେର ଅଧାପନ୍ତରିଆ କାମ କେବେ ସମ୍ପୂର୍ଣ୍ଣ ହେବ ଏବଂ ଆଉ କେତେ ଜୀବନ ଯିବା ପରେ ପ୍ରଶାସନର ଚେତା ପଶିବ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି ।

Leave A Reply

Your email address will not be published.