
- ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନିତିକୁ ନେଇ ବିଭିନ୍ନ ପ୍ରସ୍ତାବ
- ବୁଦ୍ଧିଜୀବୀ ଓ ସଂଗଠନକୁ ନେଇ ଏକ କମିଟି ଗଠନକୁ ନେଇ ପ୍ରସ୍ତାବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପରବର୍ତ୍ତୀ ସମୟରୁ ତତ୍କାଳିନ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ବିକାଶର ରୋଡ ମ୍ୟାପ କିପରି ହେବ ସେ ନେଇ ସେ ପ୍ରତ୍ୟେକ ବର୍ଷ ଜିଲ୍ଲା ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସଂଗଠନ, ସାମାଜିକ କର୍ମକର୍ତ୍ତାଙ୍କ ସହ ଆଲୋଚନା ମାଧ୍ୟମରେ ଲୋକଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଆହ୍ୱାନ କରିଥିଲେ । ଏ ପରିପ୍ରେକ୍ଷୀରେ ୨୦୨୪ ମସିହାରେ ଯଦିଓ ସେ ନିର୍ବାଚନ ରାଜନୀତିରୁ ଦୂରେଇ ରହିଲେ କିନ୍ତୁ ଲୋକ ତଥା ଅଂଚଳର ବିକାଶ ପାଇଁ ସେ ସବୁବେଳେ କାର୍ଯ୍ୟ କରିବାର ପ୍ରତିଶୃତି ଦେଇଥିଲେ । ସେହି ପରିପ୍ରେକ୍ଷୀରେ ପୁଣିଥରେ ବଲାଙ୍ଗିରର ସମସ୍ତ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ଛାତ୍ର ଯୁବକଙ୍କୁ ନେଇ ସ୍ଥାନୀୟ ହୋଟେଲ ସେଲିବ୍ରେସନରେ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦଙ୍କ ଆବହକତ୍ୱ ତଥା ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନିତିକୁ ନେଇ ଲୋକେ ଭୋଗୁଥିବା ସମସ୍ୟା ଉପରେ ଉପସ୍ଥିତ ଜନସାଧାରଣ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ବିକାଶ ଫୋରମର ସଂପାଦକ ପୀତବାସ ପଣ୍ଡା, ସଦସ୍ୟ ଗୋପବନ୍ଧୁ ନାଥ, ଜିଲ୍ଲା ସିଭିଲ ସୋସାଇଟିର ସଂଯୋଜକ ମନୋରଂଜନ ସାହୁ, ସ୍ୱାଭିମାନ ମଂଚର ପ୍ରେମଚାନ୍ଦ ମହାନ୍ତ ପ୍ରମୁଖ ଶିକ୍ଷା ସମସ୍ୟାକୁ ନେଇ ଆଲୋଚନା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଶିକ୍ଷକ ଅଣଶିକ୍ଷକ ଅଭାବ ସମସ୍ୟା, ଗବେଷଣାତ୍ମକ କାର୍ଯ୍ୟ ଆରମ୍ଭ ନ ହେବା, ସଂସ୍କୃତ ମହାବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ନାମଲେଖାରେ ସ୍ଥାଣୁତା, ମହିଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ଦିନଠୁ ଅଧ୍ୟାପକ ନିଯୁକ୍ତି ନ ହେବା, ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତର, ପ୍ରଫେସର ଅଭାବ, ଦାବି ମୁତାବକ ପିଜି ପାଠ୍ୟକ୍ରମ ନ ଖୋଲିବା ଇତ୍ୟାଦିକୁ ନେଇ ସଭାରେ ଘୋର ଉଦ୍ବେଗ ପ୍ରକାଶ କରାଯାଇଥିଲା । ପ୍ରାଥମିକ ଶିକ୍ଷା ତଥା ଆହୁରି ଦୟନୀୟ । ପ୍ରାଥମିକ ସ୍କୁଲ ଓ ହାଇସ୍କୁଲ ଗୁଡିକ ଶିକ୍ଷକ କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିବାର ଅଭିଯୋଗ ବିଶେଷ କରି ଗ୍ରାମାଂଚଳ ଲୋକ କରୁଛନ୍ତି ବୋଲି ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା ବେଳେ ନାଗରିକ କମିଟି ସଭାପତି ଶ୍ରୀକର ମିଶ୍ର, ସ୍ୱାଭିମାନ ମଂଚରୁ ପ୍ରେମଚାନ୍ଦ ମହାନ୍ତି, ଶ୍ରୀମନ୍ତ ପଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସଦର ମହକୁମା ହସ୍ପିଟାଲ ଓ ଭୀମଭୋଇ ମେଡିକାଲ କଲେଜର ସ୍ଥିତି ବହୁତ ଦୟନୀୟ ବୋଲି କହିଥିଲେ । ଗାଁ ତଥା ବ୍ଲକ ଅଂଚଳରେ ଥିବା ପିଏଚ୍ସି, ସିଏଚ୍ସି ତ ଦୂରର କଥା ସଦର ମହକୁମା ହସପିଟାଲ ଏବଂ ଭୀମଭୋଇ ମେଡିକାଲରେ ମଧ୍ୟ ଡାକ୍ତର ଅଭାବରୁ ଲୋକେ ଉତ୍ତମ ଚିକିତ୍ସା ପାଇପାରୁନାହାନ୍ତି । ସିଟିସ୍କେନ, ଏମ୍ଆର୍ଆଇ ପାଇଁ ଲୋକଙ୍କୁ ଘରୋଇ ଡାକ୍ତରଖାନାକୁ ଯିବାକୁ ପଡିଛି । ମେଡିକାଲ କଲେଜର ନିଜସ୍ୱ ବ୍ଲଡବ୍ୟାଙ୍କ ନାହିଁ । ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଥିଲେ ହେଁ ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ସେମାନଙ୍କ ଆନ୍ତରିକତା ନାହିଁ ବୋଲି ବୁଦ୍ଧିଜୀବୀମାନେ କ୍ଷୋଭର ସହିତ କହିଥିଲେ । ଆଇନଶୃଙ୍ଖଳାକୁ ବାର ସଭାପତି ବାସୁଦେବ ରଥ ତଥା ବଣିକ ସଂଘର ସଂପାଦକ ଲଳିତ ଚୌଧୁରୀ ଘୋର ଉଦ୍ବେଗ ପ୍ରକାଶ କରିଥିଲେ । ବଲାଙ୍ଗିରକୁ ଅବାଧରେ ନିଶାଦ୍ରବ୍ୟ ପ୍ରବେଶ କିପରି କରୁଛି ଏବଂ ତାହା ଯୋଗୁଁ ପ୍ରତ୍ୟେକ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାର ଅଭିଯୋଗ କରିଥିଲେ । ଏହାର ସମାଧାନ ପାଇଁ ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କୁ ନେଇ ବଲାଙ୍ଗିରରେ ଏକ ବୈଠକ ବ୍ୟବସ୍ଥା କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଉପସ୍ଥିତ ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଥିଲେ । ସାଗୁଆ ବଲାଙ୍ଗିର ଓ ଗ୍ରୀନ ୱାରିୟରଙ୍କ କାର୍ଯ୍ୟକୁ ଶ୍ରୀ ମିଶ୍ର ପ୍ରଶଂସା କରିବା ସହ ଏହାର ବରିଷ୍ଠ ସଭ୍ୟ ଜୟ ପୁରୋହିତ, ଲଳିତ ମେହେର ତଥା ଅନ୍ୟ ସଭ୍ୟଙ୍କ ବୃକ୍ଷରୋପଣକୁ ନେଇ କାର୍ଯ୍ୟକ୍ରମ ପାଇଁ ଏକ ଲକ୍ଷ ଟଙ୍କା ଅନୁଦାନ ନିଜେ ପ୍ରଦାନ କରିବେ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ । ପରିବେଶ ରକ୍ଷା ପାଇଁ ଲକ୍ଷ୍ମୀଯୋର ସଫେଇକରଣ ତଥା ସୌନ୍ଦର୍ଯ୍ୟିକରଣ ନିହାତି ଆବଶ୍ୟକ ଥିବା ଉପସ୍ଥିତ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଥିଲେ । ଦୁର୍ନିତିକୁ ନେଇ ଉଦାହରଣ ଦେଇ ବଲାଙ୍ଗିର ବ୍ଲକ ସଦାଇପାଲିର ରାସ୍ତା କାମରେ ବ୍ଲକ କର୍ତ୍ତୃପକ୍ଷ ତଥା ଜନପ୍ରତିନିଧି କିପରି ୫ଲକ୍ଷ ଟଙ୍କାର ରାସ୍ତା କାମକୁ ସମ୍ପୂର୍ଣ୍ଣ ଭାବେ ବାଟମାରଣା କରିଛନ୍ତି ଏବଂ ଏହାକୁ ନେଇ ପୋଲିସ ଏଫ୍ଆଇଆର୍ ହେବା ସତ୍ୱେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ତାର ଉଦାହରଣ ସହ ସୂଚନା ଶ୍ରୀ ମିଶ୍ର ଦେଇଥିଲେ । ଶ୍ରୀ ମିଶ୍ର ଏ ସମସ୍ୟାମାନଙ୍କୁ ନେଇ ବଲାଙ୍ଗିରର ବୁଦ୍ଧିଜୀବୀ, ସାମାଜିକ କର୍ମକର୍ତ୍ତା, ସଂଗଠନମାନଙ୍କର ଏକ ପ୍ରତିନିଧି ମଣ୍ଡଳୀକୁ ନେଇ ଏକ କମିଟି ଗଠନ କରାଯିବା ବୋଲି ଆସିଥିବା ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ସମସ୍ୟା ସମ୍ବନ୍ଧୀୟ ସମସ୍ତ ବିଭାଗ ସହ ଏହି ପ୍ରତିନିଧି ମଣ୍ଡଳୀ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆଲୋଚନା ଏବଂ ଯଦି ସଫଳ ନ ହେଲେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଆଲୋଚନା ସଭାରେ ବଲାଙ୍ଗିରର ବର୍ଷିୟାନ ନାଗରିକ ଶିକ୍ଷାବିଦ୍ ମଧୁସୂଦନ ପତି, ବଣିକ ସଂଘର କିଶୋର ରଥ, ପ୍ରକାଶ ଦାଶ, ଧର୍ମେନ୍ଦ୍ର ଝା, ରୁଦ୍ରଦେବ ପ୍ରଧାନ, ନାଗରିକ କମିଟି ସଂପାଦକ ମଧୁସୂଦନ ନାୟକ, ବିରେନ୍ଦ୍ର ବନଛୋର, ବିରଞ୍ଚି ବହିଦାର, ଡ. ବିପିନ ମିଶ୍ର, ଅଙ୍କୁଶ ପାଣ୍ଡିଆ, ଡା. ମଂଜୁବାଳା ପଣ୍ଡା, ଛାତ୍ର ନେତା ଚିନ୍ମୟ ବେହେରା, ଆୟୁର୍ବେଦିକ କଲେଜ ଛାତ୍ର ସଂସଦ ଉପସଭାପତି ଅଭିଷେକ ରଥଙ୍କ ସମେତ ସହସ୍ରାଧିକ ବୁଦ୍ଧିଜୀବୀ ସଂଗଠନରେ ଉପସ୍ଥିତ ଥିଲେ ।