ମମତା ଯୋଜନା ସହାୟତା ରାଶି ୨ଗୁଣ ହେଲା : ୫,୦୦୦ରୁ ୧୦,୦୦୦ ଟଙ୍କା ବଢିଲା

  • ୨ଟି କିସ୍ତିରେ ୬,୦୦୦ ଏବଂ ୪,୦୦୦ ଟଙ୍କା ହିତାଧିକାରୀ ପାଇବେ
  • ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ
  • ବକେୟା ରାଶି ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ

ଭୁବନେଶ୍ୱର : ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ଫେବୃଆରୀ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ । ମମତା ଯୋଜନା ବେଶ ଲୋକପ୍ରିୟ ଯୋଜନା ଏବଂ ଏହାକୁ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ଗ୍ରହଣ କରାଯାଇଛି । ନୂଆ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ(ଗର୍ଭାବସ୍ଥାର ୬ ମାସ ପରେ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି । ୧୯ ବର୍ଷରୁ ଉର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ । ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ମାନଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ ଯେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମା’ ମାନେ ଏହି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି । ଉଲ୍ଲେଖଯୋଗ୍ୟ ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ମା’ ଉପକୃତ ହେଉଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । ଏହି ଯୋଜନା ବିଷୟରେ ସୂଚନା ବା ଅଭିଯୋଗ ନିମନ୍ତେ ୧୮୧ ହେଲ୍ପଲାଇନକୁ କଲ୍‌ କରନ୍ତୁ କିମ୍ବା ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

5 + 13 =