ଓଷ୍ଟା ତରଫରୁ ଛତ୍ରପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ଛତ୍ରପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ସଂଗଠନ ଗଞ୍ଜାମ-ଗଜପତିର ପୂର୍ବତନ ସଂପାଦକ କାମରାଜୁ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମହୋତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଭାଷଣରେ ସେ ଓଷ୍ଟାର ଇତିହାସ, ଶିଶୁ ମେଳା ଆୟୋଜନର ଉଦ୍ଦେଶ୍ୟ, ଓଷ୍ଟାର ତ୍ରିସ୍ତରୀୟ ବ୍ଲକ, ଜିଲ୍ଲା, ରାଜ୍ୟସ୍ତରୀୟ ଶିଶୁ ମେଳାର ବିବରଣୀ ଦେଇ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ସୁପ୍ତ ପ୍ରତିଭାର ବିକାଶ ପାଇଁ ଓଷ୍ଟାର ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଗଠନ ନିମନ୍ତେ ପ୍ରତିଯୋଗୀ ମନୋଭାବ ପ୍ରଦର୍ଶନ ପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ଉଦ୍‌ଘାଟନ ଅଧିବେଶନ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକଙ୍କ ପରିଚାଳନାରେ ଓଷ୍ଟାର ଗଂଜାମ ଜିଲ୍ଲା କାର୍ଯ୍ୟକାରୀ କମିଟିର ସଭ୍ୟ ସୁଧାର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଶୁ ମେଳାରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଶିକ୍ଷକ ଧିରେନ୍ଦ୍ର ନାଥ ସଭାପତି, ଉମାକାନ୍ତ ପଟ୍ଟନାୟକ, ଲକ୍ଷ୍ମୀ କାନ୍ତ ଦାଶ, ପୂର୍ଣ୍ଣ ଚନ୍ଦ୍ର ନାହାକ, ସୁଜ୍ଞାନୀ ପାଢୀ ପ୍ରମୁଖ ପରିଚାଳନା କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କାମରାଜୁ ମହାରଣା, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସରପଞ୍ଚ ଝୁଲି ନାହାକ, ସମିତି ସଭ୍ୟ ଏନ୍ ରମେଶ ରେଡ୍ଡି୍, ସରପଞ୍ଚ ପ୍ରତିନିଧି ମାଗୁଣି ବିଷୋୟୀ, ଓଷ୍ଟା ରାଜ୍ୟ ସଂଗଠନର କାର୍ଯ୍ୟକାରୀ କମିଟି ସଭ୍ୟ ଅଶୋକ କୁମାର ଦଳାଇ, ଓଷ୍ଟା ଗଂଜାମର ଯୁଗ୍ମ ସଂପାଦକ କୈଳାଶ ବେହେରା, ପୂର୍ବତନ ଯୁଗ୍ମ ସଂପାଦକ କୋରେଶ ଚନ୍ଦ୍ର ଶତପଥୀ, ମାୟା ସାହୁ, ସଂଗୀତ ଶିକ୍ଷକ ନାରାୟଣ ନାହାକ (ବିଚାରକ) ଯୋଗଦେଇ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ । ଏହି ଉତ୍ସବରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

2 × 1 =