ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସବ୍ କଲେକ୍ଟର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସବ୍ କଲେକ୍ଟର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ, ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୧୯୦୯ରୁ ପାଳନ କରାଯାଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ମହିଳାମାନଙ୍କ ସଫଳତାର ଜୟଗାନ ସହ ସେମାନଙ୍କୁ ନ୍ୟାୟ ଅଧିକାର ଦେବା ଓ ସଶକ୍ତ କରିବା । ମହିଳାମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କଲେ ଓ ସୁରକ୍ଷିତ ଜୀବନଯାପନ କଲେ ସଶକ୍ତ ଓଡ଼ିଶା ଗଠନ ସମ୍ଭବ ବୋଲି ସେ ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବରେ ପଦ୍ମପୁର ବରିଷ୍ଠ ଦେୱାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ଯୋଗ ଦେଇ କହିଥିଲେ ଯେ ନାରୀ ମାନଙ୍କର ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ନାନା ଆଇନ ମାନ ପ୍ରଣୟନ କରାଯାଇଛି । ସଚେତନତା ଅଭାବରୁ ଅନେକ ଯୁଗପୋଯୋଗୀ ଆଇନର ଲାଭ ନାରୀ ମାନେ ଉଠାଇବାରେ ବିଫଳ ହେଉଛନ୍ତି । ସମାଜରେ ଦିନକୁ ଦିନ ବଢି ଚାଲିଥିବା ନାରୀ ଅତ୍ୟାଚାର ଓ ଜଘନ୍ୟ ଅପରାଧ ବିଷୟରେ ଚିନ୍ତାପ୍ରକଟ କରି ସେ କହିଥିଲେ ଯେ ନାରୀ ମାନେ ନିଜକୁ ଦୁର୍ବଳ ମନେ ନ କରି ନିଜର ଅଧିକାର ପାଇଁ ଲଢେଇ କରିବା ଆବଶ୍ୟକ । ପଦ୍ମପୁର ଓକିଲସଂଘର ବରିଷ୍ଠ ଓ ଯୁବ ଆଇନଜୀବୀ ବିଭିନ୍ନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପସ୍ଥିତ ଜନତାକୁ ସଚେତନ କରାଇଥିଲେ । ଏହି ସଚେତନତା ଶିବିରରେ ପଦ୍ମପୁର ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀ ବିଭୁତି ଭୂଷଣ ଭୋଇ ଓ ଉପଖଣ୍ଡୀୟ ଚିକିତ୍ସା ଅଧିକାରୀ ଶ୍ରୀ ଡା. ତହସିଲ ସାହୁ ଯୋଗଦାନ କରି ନାରୀ ମାନଙ୍କ ସୁରକ୍ଷା ପାଇଁ ପ୍ରଣୀତ ନାନା ଆଇନ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ଶିବିରରେ ଶତାଧିକ ଅଙ୍ଗନବାଡି ଓ ଆଶା ଦିଦି ମାନେ ଉପସ୍ଥିତ ଥିଲେ । ପାରାଲିଗାଲ ସ୍ୱେଚ୍ଛାସେବୀ ଗଣ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ । ପରିଶେଷରେ ପଦ୍ମପୁର ଓକିଲ ସଂଘର ସଭାପତି ଗୌତିଆ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ସଚେତନତା ଶିବିର ଫଳରେ ଲୋକ ମାନଙ୍କ ମଧ୍ୟରେ ଆଇନ ପ୍ରତି ସଚେତନତା ବୃଦ୍ଧି ପାଇବ ବୋଲି ପଦ୍ମପୁର ସହରରେ ଆଲୋଚନା ହେଉଛି । ଅଜିତ କୁମାର ସତପଥୀ, ଉମେଶ ସାହୁ, ସୁନିଲ ପାଣିଗ୍ରାହୀ, ପି.ଆର. ଅଗ୍ରୱାଲ ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 − 5 =

error: Content is protected !!