pakka

ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ମହାନତା : ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ପରାମର୍ଶ ନେଇ ସ୍କୁଲ ପୁନଃ ସ୍ଥାପନ କରିବାକୁ ପ୍ରତିଶ୍ରୁତି

ପାଟଣାଗଡ, (ଗୋରେଖନାଥ ବରିହା) : କେତୋଟି କୋମଳମତି ଶିଶୁଙ୍କ ଅନୁରୋଧ ରକ୍ଷା କରି ଛୁଟିଦିନରେ ଉଦୁଉଦିଆ ଖରାରେ ପାଦରେ ଚାଲି ଚାଲି ତିନି କିଲୋମେଟର ରାସ୍ତା ଚାଲିବା ଅଧିକାରୀ ହେଉଛନ୍ତି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଯାହାକି ଅଞ୍ଚଳର ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତର ଗୋଟିଏ ଛୋଟ ଗାଁ ଗରଗଡ଼ଛାପର । ଗତ ୨୦୨୦ ମସିହାରେ ଗାଁ ପ୍ରାଥମିକ ବିଦ୍ୟାଳୟଟିକୁ ପିଲା କମ ଦେଖାଇ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା । ଗରଗଡ଼ଛାପର ସ୍କୁଲଠାରୁ ଢୋଡ଼ମହୁଲ ସ୍କୁଲର ଦୂରତା ପ୍ରାୟ ତିନି କିଲୋମେଟର ଦୂର ଥିଲେ ମଧ୍ୟ ତାକୁ ଶିକ୍ଷା ବିଭାଗ ପକ୍ଷରୁ ଅଧକିଲୋମେଟର ଦର୍ଶାଯାଇଥିଲା । କରୋନା ମହାମାରୀ ହେତୁ ସ୍କୁଲ ମିଶ୍ରଣ ପରେ ପାଠପଢା ବନ୍ଦ ଥିଲା ହେଲେ ସ୍କୁଲ ଖୋଲିବା ପରେ ମଧ୍ୟ ଅଧିକ ଦୂର, ନିକାଞ୍ଚନ ରାସ୍ତା ସାଙ୍ଗକୁ ପ୍ରଚଣ୍ଡ ଖରା ହେଉଥିବାରୁ କୌଣସି ପିଲା ସ୍କୁଲକୁ ପଢିବା ପାଇଁ ଯାଉନଥିଲେ । ଏକଥା ଜାଣିବାପରେ ଖୁଣ୍ଟସମଲେଇ ସମିତିସଭ୍ୟା ଉପଜିଲ୍ଲାପାଳଙ୍କୁ ପିଲାମାନେ ସ୍କୁଲ ନଯିବା କଥା ଜଣାଇଥିଲେ । ବିଷୟର ଗୁରୁତ୍ୱକୁ ଉପଲବ୍ଧି କରି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଆଜି ଛୁତିଦିନ ହେଲେ ମଧ୍ୟ ପିଲାଙ୍କ କଥା ବୁଝିବା ପାଇଁ ଗରଗଡ଼ଛାପର ଗାଁକୁ ଆସିଥିଲେ । ସେଠାରେ ପହଞ୍ଚି ୨୩ ଜଣ କୋମଳମତି ପିଲାଙ୍କୁ ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା ଓ ସତ୍ୟତା ଉପଲବ୍ଧି କରିବା ପାଇଁ କିଛି ଗାଁ ଲୋକଙ୍କ ସହିତ ପାଦରେ ଚାଲି ଚାଲି ଢୋଡ଼ମହୁଲ ସ୍କୁଲ ଅଭିମୁଖେ ବାହାରି ଯାଇଥିଲେ । ଢୋଡ଼ମହୁଲ ସ୍କୁଲରେ ପହଞ୍ଚି ପିଲାମାନେ କିପରି ଏତେ ଦୂର ଆସୁଛନ୍ତି ତାହା ବହୁତ ଦୁଃଖର ବିଷୟ ବୋଲି ମନ୍ତବ୍ୟ ଦେଇଥିଲେ । ଜଣେ ପ୍ରଶାସନିକ ଅଧିକାରୀ ଏପରି ଲୋକଙ୍କ ଅସୁବିଧା ବୁଝିବା ପାଇଁ ଏ.ସି ଗାଡ଼ିରେ ନଯାଇ ପାଦରେ ଚାଲି ଚାଲି ଯାଉଥିବାର ଦେଖି ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠିଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

five × one =