ମା’ ସମଲେଇ ଆଜି ମହାଗୌରୀ ବେଶରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ସମଲେଇ ଆଜି ମହାଗୌରୀ ବେଶରେ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ । ଆଜି ଦେବୀଙ୍କ ଅଷ୍ଟମ ଶକ୍ତିର ବେଶ ‘ମହାଗୌରୀ’ । ଏହି ଅବସରରେ ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ବିଭିନ୍ନ ଦେବୀ ପୀଠରେ ଦେବୀ ମହାଗୌରୀ ବେଶରେ ଉଭା ହୋଇଛନ୍ତି । ଆସନ୍ତୁ ଦେବୀଙ୍କ ଅଷ୍ଟମ ଶକ୍ତି ମହାଗୌରୀ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା ।

ଶ୍ୱେତେବୃଷେ ସମାରୂଢ଼ା ଶ୍ୱେତାମ୍ବରଧରା ଶୁଚିଃ ।
ମହାଗୌରୀ ଶୁଭଂ ଦଦ୍ୟାନ୍‌ମହାଦେବପ୍ରମୋଦଦା । ।

ମାତା ଦୁର୍ଗାଙ୍କର ଅଷ୍ଟମ ଶକ୍ତିର ନାମ ମହାଗୌରୀ । ତାଙ୍କର ବର୍ଣ୍ଣ ସଂପୂର୍ଣ୍ଣ ଗୌର । ମା’ଙ୍କର ଗୌର ବର୍ଣ୍ଣ ବର୍ଣ୍ଣନା କରି ଶଙ୍ଖ, ଚକ୍ର ଓ କୁନ୍ଦଫୁଲର ଉପମା ଦିଆଯାଏ । ତାଙ୍କର ଆୟୁ ଆଠ ବର୍ଷ ବୋଲି ଧରାଯାଏ – ‘ଅଷ୍ଟବର୍ଷା ଭବେତ୍‌ଗୌରୀ’ । ତାଙ୍କର ସମସ୍ତ ବସ୍ତ୍ର ଓ ଆଭୂଷଣ ମଧ୍ୟ ଶ୍ୱେତ । ମା’ ଚତୁର୍ଭୁଜା ଓ ବୃଷବାହିନୀ । ତାଙ୍କର ଡାହାଣ ପଟ ଉପର ହାତରେ ଅଭୟ ମୁଦ୍ରା ଓ ତଳ ହାତରେ ତ୍ରିଶୂଳ ଏବଂ ବାଆଁ ପଟ ଉପର ହାତରେ ଡମ୍ବରୁ ଓ ତଳ ହାତରେ ବରମୁଦ୍ରା ଶୋଭିତ । ତାଙ୍କର ମୁଦ୍ରା ଅତ୍ୟନ୍ତ ଶାନ୍ତି ।

ପାର୍ବତୀ ରୂପରେ ସେ ଭଗବାନ ଶିବଙ୍କୁ ପତି ରୂପେ ପାଇବାକୁ କଠୋର ତପସ୍ୟା କରିଥିଲେ । ସେ ପ୍ରତିଜ୍ଞା କରିଥିଲେ, ବ୍ରିୟେଽହଂ ବରଦଂ ଶମ୍ଭୁ ନାନ୍ୟ ଦେବଂ ମହେଶ୍ୱରାତ୍‌ (ନାରଦ ପଞ୍ଚରାତ୍ର) । ଗୋସ୍ୱାମୀ ତୁଳସୀଦାସଙ୍କ ଭାଷାରେ ବି ଭଗବାନ ଶିବଙ୍କୁ ବରଣ କରିବା ପାଇଁ ସେ କଠୋର ସଂକଳ୍ପ କରିଥିଲେ – ‘ଜନ୍ମ କୋଟି ଲଗି ରଗର ହମାରୀ । ବରଉଁ ସଂଭୂ ନ ତ ରହଉଁ କୁଆଁରୀ । ।’

ସେଠି କଠୋର ତପସ୍ୟା ହେତୁ ତାଙ୍କର ଶରୀର କଳାକାଠ ପଡ଼ି ଯାଇଥିଲା । ତାଙ୍କର ତପସ୍ୟାରେ ପ୍ରସନ୍ନ ଓ ସନ୍ତୁଷ୍ଟ ହୋଇ ଭଗବାନ ଶିବ ଯେତେବେଳେ ତାଙ୍କର ଶରୀରକୁ ପବିତ୍ର ଗଙ୍ଗାଜଳରେ ଧୋଇ ମାଜିଦେଲେ, ସେତେବେଳେ ତାହା ବିଦ୍ୟୁତ୍‌ ପ୍ରଭା ପରି ଅତ୍ୟନ୍ତ କାନ୍ତିମାନ ଗୌର ହୋଇଗଲା । ସେହି ଦିନୁ ତାଙ୍କର ନାମ ହୋଇଗଲା ମହାଗୌରୀ ।

ଦୁର୍ଗାପୂଜାର ଅଷ୍ଟମ ଦିନ ମହାଗୌରୀଙ୍କୁ ଉପାସନା କରିବାର ବିଧାନ ରହିଛି । ମା’ଙ୍କର ଶକ୍ତି ଅମୋଘ ଓ ସଦ୍ୟଫଳଦାୟିନୀ । ତାଙ୍କର ଉପାସନା କଲେ ଭକ୍ତଙ୍କର ସକଳ କଳ୍ମଷ ଧୋଇ ଧାଇ ହୋଇଯାଏ, ପୂର୍ବ ସଂଚିତ ପାପ ବି ଖଣ୍ଡନ ହୋଇଯାଏ ଏବଂ ଭବିଷ୍ୟତରେ କେବେ କୌଣସି ପାପ ସନ୍ତାପ ବା ଦୁଃଖଦୈନ୍ୟ ତାଙ୍କ ପାଖରେ ପଶିପାରେ ନାହିଁ । ସେ ସର୍ବତୋ ଭାବେ ପବିତ୍ର ଓ ଅକ୍ଷୟ ପୁଣ୍ୟର ଅଧିକାରୀ ହୋଇଯଆନ୍ତି ।

Leave A Reply

Your email address will not be published.