ଶୁଭିବନି ବୀରବାଦ୍ୟ, ଭକ୍ତଶୂନ୍ୟ ହେବ ଐତିହାସିକ ବଏଲ୍‌ ଯାତ୍ରା

ପାଟଣାଗଡ, (ଅଜିତ ପୁରୋହିତ) : ସରକାରୀ କଟକଣା ପାଇଁ ମଉଳି ଗଲାଣି ଭକ୍ତଙ୍କ ମନ । ପାର୍ବଣ ଋତୁରେ ବିନା ଭକ୍ତରେ ହେବ ଦେବୀଙ୍କ ପୂଜାର୍ଚ୍ଚନା । କେବଳ ପ୍ରଥା ଓ ପରମ୍ପରାକୁ ବଂଚାଇ ରଖିବାକୁ ରୀତିନୀତି ପାଳନ କରିବେ ଭକ୍ତ । କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରଶାସନ ତରଫରୁ ଅନେକ କଟକଣା ଜାରି କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲାର ଐତିହ ସମ୍ପନ୍ନ ପ୍ରସିଦ୍ଧ ବଏଲଯାତ୍ରା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ପାଟଣାଗଡର ବା ଗଡଜାତ ପାଟଣା ଷ୍ଟେଟ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ବଏଲ୍‌ ଯାତ୍ରା ପ୍ରତି ବର୍ଷ ଦଶହରା ମହାନବମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ବର୍ଷରେ ଥରେ ମା’ ମନ୍ଦିରରୁ ବାହାରି ସମଗ୍ର ଜୀବଜଗତକୁ ଦର୍ଶନ ଦେଇ ଥାଆନ୍ତି । ପ୍ରଥା ଏବଂ ପରମ୍ପରା ଅନୁସାରେ ମା’ ପାଟଣେଶ୍ୱରୀଙ୍କ ସହ ଦୁଇ ଭଉଣୀ ମା’ ସମଲେଶ୍ୱରୀ, ମା’ ଡଙ୍ଗେଇ ମଧ୍ୟ ମନ୍ଦିରରୁ ବାହାରି ନିଜେ ଆଉ ଏକ ଭଉଣୀ ମା’ ଦଶମତୀଙ୍କ ପାଖକୁ ସହର ପରିକ୍ରମା ସମୟରେ ଭେଟ ହେବାକୁ ଯାଇଥାଆନ୍ତି । ଏପରିକି କଲେଜଛକ ନବର୍ଦୁଗା, କାଦୋପଡା ଦୁର୍ଗା ମଣ୍ଡପ, ଗଡ଼ଭିତର ମଣ୍ଡପ ସହ ଥାନା ଏବଂ ଡାକ୍ତରଖାନାରେ ଦୁର୍ଗାଙ୍କ ପୂଜା ମେଢକୁ ମଧ୍ୟ ଭେଟ ହେବାକୁ ଯାଆନ୍ତି । ଅନ୍ୟପକ୍ଷରେ ପାଟଣା ଇତିହାସ ଅନୁଯାୟୀ ସେ ସମୟର ରାଜା ରମାଇ ଦେଓ ଅଷ୍ଟମଲ୍ଲକୁ ହତ୍ୟା କରି ଖଣ୍ଡବିଖଣ୍ଡିତ ମୃତଦେହକୁ ଗଡ଼ ଭିତରର ୩ଟି ସ୍ଥାନରେ ହାତ, ଗୋଡ, ମୁଣ୍ଡ ଏବଂ ଅବୟବକୁ ପୋତି ଦେଇଥିଲେ । ସେହି ଦିନ ଠାରୁ ଉକ୍ତ ପୋତା ଯାଇଥିବା ସ୍ଥାନକୁ ଏହି ଦଶହରା ନବମୀ ତିଥି ସମୟରେ ଇଷ୍ଟଦେବୀଙ୍କ ଦ୍ୱାରା ରମାଇ ଖଣ୍ଡାରେ ପ୍ରହାର କରିଥାଆନ୍ତି । ପ୍ରଚଳିତ ପ୍ରଥା ଅନୁସାରେ ସେ ସମୟରେ ପାଟଣାଗଡ କାଉଁରୀ ବିଦ୍ୟାରେ ସିଦ୍ଧକ୍ଷେତ୍ର ଥିଲା ଏବଂ ମୃତ ବ୍ୟକ୍ତିଙ୍କୁ ଜୀବିତ କରିବାର କଳା ମଧ୍ୟ ଲୋକମାନଙ୍କୁ ଜଣାଥିଲା ଏବଂ ସେହି କାଉଁରୀ ବିଦ୍ୟା ମାଧ୍ୟମରେ କାଳେ ସେମାନେ ପୁଣି ଜୀବିତ ହୋଇ ଉଠିବେ ଆଶଙ୍କା କରି ପ୍ରତିବର୍ଷ ଏହ କବରରୂପା ନୀତି ଅନୁଷ୍ଠିତ ହୋଇଥାଏ । ଯାହାକୁ ସ୍ଥାନୀୟ ଭାଷାରେ ଖପରଚୁପା ବୋଲି ବର୍ଣ୍ଣିତ ରହିଛି । ତେବେ ଚଳିତ ବର୍ଷ ଏହି ପରମ୍ପରା କେବଳ ମନ୍ଦିର ପ୍ରାଙ୍ଗଣରେ ହେବ ବୋଲି ପ୍ରଶାସନ ତରଫରୁ ସୁଚନା ମିଳିଛି । ଏପରିକି ଦେବୀ ଏ ବର୍ଷ ମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁଁ, ବୀରବାଦ୍ୟର ତାଳେ ତାଳେ ଦେବୀ ବାଜା ପରେ ନାଚିବେ ନାହିଁ କି ସହର ପରିକ୍ରମା କରିବା ସହ ତାଙ୍କ ଭଉଣୀ ଦଶମତୀଙ୍କୁ ଦେଖା କରିବେ ନାହିଁ ବୋଲି ଜଣାପଡିଛି । ବର୍ଷ ବର୍ଷର ଏହି ପରମ୍ପରା କରୋନା ମାଡ଼ରେ ଫିକା ପଡିବ ବୋଲି ଆଶଙ୍କା କରାଯାଉଛି । ଯଦି ଏଭଳି ପଦକ୍ଷେପ ପ୍ରଶାସନ ନ ନିଏ ତେବେ ପାଟଣାଗଡ ସହରରେ କରୋନା ମହାମାରୀର ଭୟାବହତା କେତେ ମାତ୍ରାରେ ବଢିବ ତାହା ଆକଳନ କରିବା ମୁସ୍କିଲ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଏହାକୁ ଆଖି ଆଗରେ ରଖି ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନ ୨୩.୧୦.୨୦୨୦ ସନ୍ଧ୍ୟା ୫ ଟା ରୁ ୨୫.୧୦.୨୦୨୦ ପର୍ଯ୍ୟନ୍ତ ଗଡଭିତର ପଡିଆ, ପାଟଣେଶ୍ୱରୀ ମନ୍ଦିର ପରିସର ଏବଂ ପାଟଣାଗଡ ଏନଏସି ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି । ଏହାର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇ ପାଟଣାଗଡ ଏସଡିପିଓ ଏବଂ ଥାନାଧିକାରୀଙ୍କୁ ଉକ୍ତ ଅଂଚଳରେ ୧୪୪ ଧାରା ବଳବତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।

Leave A Reply

Your email address will not be published.