jayashree

ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୫୦ ହଜାର ଲୋକଙ୍କ ଘରେ ସୋଲାର ପ୍ୟାନେଲ ସ୍ଥାପନ ଲକ୍ଷ୍ୟ : ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମାସବ୍ୟାପୀ ଚାଲୁଥିବା ‘ସେବା ସେତୁ ଅଭିଯାନ’ ଅବସରରେ ଟି.ପି.ଏସ୍‌.ଓ.ଡି.ଏଲ୍‌. ପକ୍ଷରୁ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ସୋମବାର ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ତଥା ଛତ୍ରପୁର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ‘ସେବା ସେତୁ’ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ପିଏମ୍ ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା’କୁ ଅଧିକ ବ୍ୟାପକ କରିବା ସହ ଘରୋଇ ସ୍ତରରେ ସୌର ଶକ୍ତିର ବ୍ୟବହାର ନେଇ ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦେଶର ବିଦ୍ୟୁତ ଆବଶ୍ୟକତା ପୂରଣ ସହ ଘରୋଇ ସ୍ତରରେ ସୌର ଶକ୍ତିର ବ୍ୟବହାର ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି । ଛତ୍ରପୁର ଓ ଗଞ୍ଜାମ ବ୍ଲକର ୫ ହଜାରରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଅଧିକରୁ ଅଧିକ ପରିବାରକୁ ଯୋଜନାର ସୁଫଳ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଥିଲେ ଯେ, କିଛି ମାସ ପୂର୍ବରୁ ସୌର ପ୍ୟାନେଲ୍ ସ୍ଥାପନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟର ଶ୍ରେଷ୍ଠ ୫-୬ଟି ଜିଲ୍ଲା ମଧ୍ୟରେ ରହିଥିଲା । ସମସ୍ତଙ୍କ ମିଳିତ ପ୍ରୟାସରେ ଜିଲ୍ଲାରେ ୨୩ ହଜାରରୁ ଅଧିକ ସୌର ପ୍ୟାନେଲ୍ ସ୍ଥାପନ ହୋଇଥିବାବେଳେ ଗଞ୍ଜାମ ବର୍ତ୍ତମାନ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଲ୍ଲାରେ ୫୦ ହଜାର ସୌର ପ୍ୟାନେଲ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି । ଆଗାମୀ ଦିନରେ ଜିଲ୍ଲାରେ ‘ସୋଲାର ଭିଲେଜ୍’ ବିକଶିତ କରିବା ନେଇ ଟିପିଏସ୍‌ଓଡିଏଲ୍‌ର ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଥିଲେ । ଏହି ଯୋଜନା ଅଧୀନରେ ପ୍ରତି ଘର ପିଛା ୩ କିଲୋୱାଟ୍‌ ପର୍ଯ୍ୟନ୍ତ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ମୋଟ ୧ ଲକ୍ଷ ୩୮ ହଜାର ଟଙ୍କାର ସବ୍‌ସିଡି ବ୍ୟବସ୍ଥା ରହିଛି । ଏଥିରେ କେନ୍ଦ୍ର ସରକାରଙ୍କ ୭୮ ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କ ୬୦ ହଜାର ଟଙ୍କା ସାମିଲ ରହିଛି । ଏହାଦ୍ୱାରା ଉପଭୋକ୍ତାମାନେ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ଦେୟ ସଞ୍ଚୟ କରିପାରିବେ । ଇଚ୍ଛୁକ ହିତାଧିକାରୀମାନେ ପିଏମ୍ ସୂର୍ଯ୍ୟ ଘର ଅଧିକୃତ ପୋର୍ଟାଲରେ ପଞ୍ଜୀକରଣ କରି ଯୋଜନାର ସୁଫଳ ପାଇପାରିବେ । ‘ସେବା ସେତୁ’ ଶିବିରରେ ୨୮୦ ଜଣ ଉପଭୋକ୍ତା ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରି ପଞ୍ଜୀକରଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ସୋଲାର ଭେଣ୍ଡର, ଉପଭୋକ୍ତାଙ୍କ ସମେତ ଟିପିଏସ୍‌ଓଡିଏଲ୍‌ର ଚିଫ୍ ଅଫ୍ ଅପରେସନ୍ ମିଲିନ୍ଦ ପ୍ରଭାକର କୁଲକର୍ଣ୍ଣୀ, ଇଆଇସି, ଜୋନାଲ୍ ହେଡ୍ ପ୍ରତାପ କେଶରୀ ସାହୁ, ଏସ୍‌.ଇ. ଚନ୍ଦନ ଦାସ, ପ୍ରିୟଦର୍ଶୀ ବେହେରା, ଏସ୍‌ଡିଓ ନବୀନ କୁମାର ପାଢ଼ୀ, ଏଇ.ଇ. ମନୋରଞ୍ଜନ ମାର୍ଥା, ବିଥଲ କରଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.