ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ପ୍ରଶାସନିକ ସେବା ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଲାଟି ଦିନରୁ ଜନ୍ମାନ୍ଧ ହୋଇ କେବେ ହାର ମାନି ନଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସତିଭଟା ଗ୍ରାମର ପିତା ପ୍ରାଧ୍ୟାପକ ରବିରଞ୍ଜନ ପ୍ରଧାନ ଓ ମାତା ଜୟନ୍ତୀ ପ୍ରଧାନଙ୍କ ପୁତ୍ର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)୨୦୨୦ରେ ୨୯୨ ରେଙ୍କ୍‌ରେ କୃତକାର୍ଯ୍ୟ ହୋଇ ପଦ୍ମପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍‌.କମ । ସେ ବର୍ତ୍ତମାନ ରେଭେନ୍ସା କଲେଜରେ ପିଏଚ୍‌ଡି କରୁଛନ୍ତି । ଶ୍ରୀ ପ୍ରଧାନ ଭୀମ ଭୋଇ ଅନ୍ଧ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ । ବାପା ରବିରଞ୍ଜନ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ବୋଡ଼େନ କଲେଜରେ ଓଡ଼ିଆ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ । ୨୦୧୮ ମସିହାରେ ଇଣ୍ଡୋନେସିଆରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ପାରାଗେମ୍‌ରେ କୃତିତ୍ୱ ହାସଲ କରି ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇ ଭାରତ ତଥା ଓଡ଼ିଶା ରାଜ୍ୟ ପାଇଁ ଗୌରବ ଆଣିଥିଲେ ଓ ଅଞ୍ଚଳବାସୀଙ୍କ ପାଇଁ ଗୌରବର ବିଷୟ । ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସେ ସମ୍ମାନିତ ହୋଇଥିଲେ । ଗୀତ ଗାଇବା, ପାଠ୍ୟପୁସ୍ତକ ଅଧ୍ୟୟନ ସହ ବିଭିନ୍ନ ମାଗାଜିନ ପଢ଼ିବା, ଚେସ୍‌ ଖେଳିବା ତାଙ୍କର ଋଚି । ପିଲାମାନଙ୍କୁ ଚେସ୍‌ ଖେଳ ଶିଖାଇବା ତାଙ୍କର ସଉକ । ଚେସ୍‌ ଖେଳ ସମ୍ପର୍କରେ ସେ ବର୍ତ୍ତମାନ ଗବେଷଣାରତ । ପ୍ରଶାସନିକ ସେବାରେ ଯୋଗଦାନ କଲାପରେ ଅସହାୟ ବିକଳାଙ୍ଗମାନଙ୍କ ପାଇଁ ଆସୁଥିବା ସମସ୍ତ ସରକାରୀ ସୁବିଧା ଠିକ୍‌ ଭାବେ କିଭଳି ସେମାନଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ମୁଁ ଉଦ୍ୟମ କରିବା ସହ ଜନସାଧାରଣଙ୍କ ସେବାରେ ସବୁବେଳେ କର୍ତ୍ତବ୍ୟ କରି ଚାଲିବି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

15 − 13 =