
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମୁଦ୍ରିକ ଝଡ଼, ବାତ୍ୟା ଓ ବନ୍ୟା ପରେ ଅଜଣା ରୋଗ ସହ ପୋକ ଲାଗି ଗଞ୍ଜାମ ଜିଲ୍ଲାରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଥିବା ଖବର ମିଳିଛି । ପ୍ରକାଶ ଥାଉକି, କୃଷି ଡାକ୍ତରୀ ବିଶେଷଜ୍ଞ ଟିମ୍ ବୁଲି ସର୍ଭେ କରି ଦେଖି ଏକ ନିର୍ଣ୍ଣୟ ଦେଇଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ଫସଲରେ ପତ୍ରପୋଡ଼ା, ମହିଷା ରୋଗ, ମାଟିଆଗୁଣ୍ଡି ପୋକ ଇତ୍ୟାଦି ଲାଗିଥିବାର ଦେଖିବାକୁ ମିଳିଛି । ଏନେଇ ଖବର ପ୍ରସାରିତ ହେବା ପରେ କୃଷି ବିଭାଗ ତରଫରୁ ତତ୍ପରତା ଦେଖାଯାଇଛି । କୃଷି ଡାକ୍ତରୀ ବିଶେଷଜ୍ଞ ଟିମ୍ ବୁଲି ଦେଖିବା ପରେ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନତାର ବାର୍ତ୍ତା ଦେବା ସହ ଧାନ ଜମିକୁ ଯାଇ ଅଧିକାରୀ, ଅଧୀଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀମାନେ ଚାଷୀଙ୍କ ସହ ମିଶି ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ବିଭିନ୍ନ ପରାମର୍ଶ ଦେବାର ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କୃଷି ବିଭାଗର ଏକ ଟିମ୍ ଛତ୍ରପୁର ବ୍ଲକର ବିପୁଲିଙ୍ଗି ଗ୍ରାମ ପଂଚାୟତର କରତାଳି ଗ୍ରାମର ଧାନ ଜମିକୁ ଯାଇ ଧାନ ଫସଲରେ ଲାଗିଥିବା, ରୋଗ ଓ ପୋକ ବୁଲି ଦେଖିଥିଲେଏବଂ ଉପସ୍ଥିତ ସମସ୍ତ ଚାଷୀଙ୍କୁ ତାର ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ । ଏହି ଟିମ୍ରେ କୃଷି ବିଜ୍ଞାନ କେନ୍ଦ୍ର(୨) ଗୋଳନ୍ଥରାର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସୁଜିତ କୁମାର ନାଥ, କୃଷି ଜିଲ୍ଲା ଅଧିକାରୀ, ଛତ୍ରପୁର ଶ୍ରୀମତୀ ରଶ୍ମିତା ମହାପାତ୍ର, କୃଷି ବୈଜ୍ଞାନିକ ଡ଼କ୍ଟର ସନ୍ଦୀପ ମହାନ୍ତି, ଗୋଷ୍ଠୀ କୃଷି ଅଧିକାରୀ, ଛତ୍ରପୁର ଚୌଧୁରୀ ସାନମାର୍ଗ କର, କୃଷି ଅଧୀଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ୱାଇଁ ଥିବା ବେଳେ ଚାଷୀ ହେମନ୍ତ ନାହାକ, ସଞ୍ଜୟ ନାହାକ, ବାସୁଦେବ ପ୍ରଧାନ, ଘନଶ୍ୟାମ ମୁଦୁଲି, ମୋହନ ରେଡ୍ଡୀ, ହାଡୁ ରେଡ୍ଡୀ ଓ ସୋମନାଥ ନାହାକଙ୍କ ସହ ଅନେକ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।