ଶ୍ରୀଲଙ୍କାରେ ଖାଦ୍ୟ ଏବଂ ପାନୀୟ ପାଇଁ ସଂଘର୍ଷ କରୁଛନ୍ତି ଲୋକେ, ୧୩ ଘଣ୍ଟା ବିଦ୍ୟୁତ୍ କାଟ୍‌ରେ ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ : ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ସରିଯାଇଛି, ଯେଉଁଥି ପାଇଁ ଶ୍ରୀଲଙ୍କା ଜରୁରୀ ଜିନିଷ ଆମଦାନୀ କରିବାରେ ଅସମର୍ଥ । ଦେଶରେ ଔଷଧ, ଖାଦ୍ୟ ଶସ୍ୟ, ଚିନି, କ୍ଷୀର ପାଉଡର, ପନିପରିବା ଅଦି ସାମଗ୍ରୀର ଘୋର ଅଭାବ ରହିଛି । ଖାଦ୍ୟ ସାମଗ୍ରୀ ପାଇଁ ଲୋକଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳୁଛି । ଏପରିକି ଶ୍ରୀଲଙ୍କାରେ ପେଟ୍ରୋଲ ପମ୍ପରେ ସେନା ନିୟୋଜିତ କରିବାକୁ ପଡିଛି । ଏବେ ଦେଶରେ ୧୩ ଘଣ୍ଟା ବିଦ୍ୟୁତ କାଟ୍‌ ଚାଲିଛି । ବସ୍ ଚଲାଇବା ପାଇଁ ଡିଜେଲ ନ ଥିବାରୁ ଜନସାଧାରଣଙ୍କ ପରିବହନ ସ୍ଥଗିତ ହୋଇଛି ।

ମଙ୍ଗଳବାର ଦିନ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପ୍ରଥମ ଥର ପାଇଁ ସଂସଦ ଅଧିବେଶନ ଡାକିଥିଲେ । କିନ୍ତୁ ବିରୋଧୀ ଦଳ ତ’ ବହୁ ଦୂର କଥା, ସରକାରଙ୍କ ଅନେକ ମିଳିତ ସହଯୋଗୀ ମଧ୍ୟ ଏହି ଅଧିବେଶନରେ ଯୋଗ ଦେଇନଥିଲେ ।

୨୦୨୦ ସାଧାରଣ ନିର୍ବାଚନରେ ​​ଶାସକ ଶ୍ରୀଲଙ୍କା ପୋଡୁଜାନା ପେରାମୁନା (SLPP) ମିଳିତ ମଞ୍ଚ ମହିନ୍ଦା ରାଜପକ୍ଷେଙ୍କ ନେତୃତ୍ୱରେ ୧୫୦ଟି ସିଟ୍ ଜିତିଛି । ଏହା ପରେ ପୂର୍ବତନ ରାଷ୍ଟ୍ରପତି ସିରିସେନାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଫ୍ରିଡମ୍ ପାର୍ଟି (SLFP)ର ଅସନ୍ତୁଷ୍ଟ ସାଂସଦମାନେ ପାର୍ଶ୍ୱ ପରିବର୍ତ୍ତନ କରି ଶାସକ ଶ୍ରୀଲଙ୍କା ପୋଡୁଜାନା ପେରାମୁନା ମିଳିତ ମଞ୍ଚରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.