oum

ଏଫଡ଼ିଆର ଓ ଖଳା କାମ ଆରମ୍ଭ ନ ହେବାରୁ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲାଦେଇ ଧାରଣାରେ ବସିଲେ ବ୍ଲକର ସରପଞ୍ଚ ସଂଘ ଓ ସମିତି ସଭ୍ୟଙ୍କ ସହ ବ୍ଲକ ଅଧ୍ୟକ୍ଷା

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଏଫଡିଆର୍ ଓ ଖଳା କାମ ତୁରନ୍ତ ଆରମ୍ଭ କରିବାକୁ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଦାବୀ ହେଉଥିଲା କିନ୍ତୁ ବ୍ଲକ ପ୍ରଶାସନ ରାଜନୈତିକ ଚାପରେ ପଡି କାମ ଆରମ୍ଭ କରିନାହାନ୍ତି । ଯାହା ଫଳରେ ଦେଓଗାଁ ବ୍ଲକ ସରପଞ୍ଚ ସଙ୍ଘ ମଙ୍ଗଳବାର ଦିନ ୧୦ଟା ସମୟରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲାଦେଇ ଧାରଣାରେ ବସିଛନ୍ତି । ଦେଓଗାଁ ବ୍ଳକରେ ଉନ୍ନୟନ ମୂଳକ କାମ ପାଇଁ ଆସିଥିବା ପ୍ରାୟ ୯କୋଟି ଟଙ୍କା ପଡିରହିଛି । ଏହି କାମ ଆରମ୍ଭ କରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଲିଖିତ ଭାବରେ ଜଣାଇଥିଲେ । କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି ସରପଞ୍ଚ ସଂଘ ବ୍ଲକ ସଭାପତି ଦୟାନିଧି ଖମାରୀ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକର ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେର, ଏହି ଆନ୍ଦୋଳନକୁ ସହଯୋଗ କରି ବିଜେଡି ବ୍ଳକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ ନିଜ ସମର୍ଥକଙ୍କ ସହ ଯାଇ ସମର୍ଥନ କରିଥିଲେ । ଗତ ପଞ୍ଚାୟତ ସମିତି ବୈଠକରେ ସମିତି ସଭ୍ୟ ଓ ସରପଞ୍ଚ ସଂଘ ବିଡିଓଙ୍କୁ ଏହି ଅନୁଦାନ ବ୍ୟବହାରକୁ ନେଇ ଘେରିଥିଲେ । ବିଡ଼ିଓ ସେହିଦିନ ଆସନ୍ତାକାଲି ଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ଯାଏ ତାହା ହୋଇପାରିନାହିଁ, ଯାହାଫଳରେ ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.