lika

ଓଡ଼ିଶୀ ସଂଗୀତ ଉତ୍ସବ ଏବଂ କର୍ମଶାଳା

gbag

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡ଼ିଶୀ ସଂଗୀତ ଏବଂ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ୟ୍ୟ କରିଆସୁଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଓଡ଼ିଶୀ ଗବେଷଣା କେନ୍ଦ୍ର’ ତା’ର ପ୍ରୟାସ ଜାରି ରଖିଆସିଛି ।ଗବେଷଣା ବ୍ୟତୀତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଏହି ଅନୁଷ୍ଠାନ ସଂଗୀତ ଏବଂ ନୃତ୍ୟ ସହିତ ବହୁ ବିଦ୍ୱାନ ମାନଙ୍କୁ ନେଇ ବିଭିନ୍ନ କର୍ମଶାଳା ଆୟୋଜନ କରିଆସୁଅଛି । ଓଡ଼ିଶୀ ସଂଗୀତ ଓଡ଼ିଶାର କଳା ସଂସ୍କୃତିର ଅନନ୍ୟ ପରିଚୟ । ସମସ୍ତଙ୍କର ଅନୁରୋଧକ୍ରମେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏକ ଦୁଇଦିନିଆ “ଓଡ଼ିଶୀ ସଂଗୀତ ଉତ୍ସବ ଏବଂ କର୍ମଶାଳା” ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳାପରିଷଦର ସହଯୋଗରେ ଓଡ଼ିଶାର କଳା, ବୈଚିତ୍ର ଏବଂ ବିଭବର ସ୍ଥାନ ସମ୍ବଲପୁରର ଜିଲ୍ଲାପ୍ରେକ୍ଷାଳୟ “ତପସ୍ୱିନୀ” ରେ ଫେବୃୟାରୀ ମାସ ୨୪ ଏବଂ ୨୫ ତାରିଖରେ ଆୟୋଜନ କରିଛନ୍ତି ।

ଏକ ସାଙ୍ଗୀତିକ ତଥା ମନୋଜ୍ଞ ପରିବେଶ ମଧ୍ୟରେ ଆଜିର ଉଦ୍‌ଘାଟନୀ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବରେ ସୁରେଶ ଚନ୍ଦ୍ର ପୂଜାରୀ, ମାନ୍ୟବର ସାଂସଦ (ଲୋକସଭା) ତଥା ରାଷ୍ଟ୍ରୀୟ ସଚିବ (ବିଜେପି) ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । କବି ଗଂଗାଧର ମେହେରଙ୍କ ବନ୍ଦନା ସହିତ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମ ପର୍ୟ୍ୟାୟରେ ଗାୟନ ପ୍ରସ୍ତୁତ କରିଥିଲେ ଅଚ୍ୟୁତ ମହାରଣା (ପୁରୀ), ଶ୍ରୀମତି ନମିତା ଆଚାର୍ୟ୍ୟ (ସମ୍ବଲପୁର), ମୋତିଲାଲ୍‌ ଦୋରା (ସମ୍ବଲପୁର), ରାଜେନ୍ଦ୍ର ସ୍ୱାଇଁ (କେନ୍ଦ୍ରାପଡ଼ା), ଦଳଗତ ଗାୟନ ପ୍ରସ୍ତୁତ କରିଥିଲେ ପରାଶକ୍ତି ସୁଭଦ୍ରିକା ଏବଂ ସାଥୀ (ସମ୍ବଲପୁର) । କାର୍ୟ୍ୟକ୍ରମ ଶେଷରେ ଏକକ ମର୍ଦ୍ଦଳ ବାଦନ ପ୍ରସ୍ତୁତ କରିଥିଲେ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସ । କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ ।

babaa
Leave A Reply

Your email address will not be published.