jayashree

କାର୍ତ୍ତିକ ମାସରେ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା : ଅରେବେଡାରେ ତିନିଦିନିଆ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

  • ସ୍ୱାମିନୀ ସଂଯୁକ୍ତାନନ୍ଦ ସରସ୍ୱତୀଙ୍କ ମୁଖନିଃସୃତ ଅମୃତବାଣୀରେ ବିଭୋର ଶ୍ରଦ୍ଧାଳୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପବିତ୍ର କାର୍ତ୍ତିକ ମାସର ଆଧ୍ୟାତ୍ମିକ ମହତ୍ତ୍ୱକୁ ଅଧିକ ଉଜ୍ଜ୍ୱଳ କରିବା ସହ ଜନମାନସରେ ଧାର୍ମିକ ଚେତନା, ଆତ୍ମଜ୍ଞାନ ଓ ନୈତିକ ମୂଲ୍ୟବୋଧର ପ୍ରସାର ଉଦ୍ଦେଶ୍ୟରେ କଲମପୁର ଅଞ୍ଚଳରେ ଚାଲିଛି ମାସବ୍ୟାପୀ ଗୀତା ଜ୍ଞାନ ଯଜ୍ଞ। ଭଗବଦ୍ ଚେତନା ପରିଷଦ, କଲମପୁର ଆନୁକୂଲ୍ୟରେ ନିର୍ମାଲ୍ୟ କ୍ଷେତ୍ରରେ ଆୟୋଜିତ ଏହି ଜ୍ଞାନ ଯଜ୍ଞ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ବ୍ରହ୍ମ ସମାଜ ଆନୁକୂଲ୍ୟରେ ଅରେବେଡା ଗ୍ରାମରେ ଶନିବାରଠାରୁ ତିନିଦିନ ବ୍ୟାପୀ ସନ୍ଧ୍ୟା ସମୟରେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ବୋକାରୋ ଚିନ୍ମୟ ମିଶନରୁ ଆସିଥିବା ପୂଜ୍ୟା ସ୍ୱାମିନୀ ସଂଯୁକ୍ତାନନ୍ଦ ସରସ୍ୱତୀ “ଅବଧୂତଙ୍କ ‘୨୪ ଗୁରୁ’ ପ୍ରସଙ୍ଗ ଉପରେ ଗଭୀର ଆଧ୍ୟାତ୍ମିକ ଓ ତତ୍ତ୍ୱମୂଳକ ପ୍ରବଚନ ପ୍ରଦାନ କରୁଛନ୍ତି। ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ୨୪ ଗୁରୁଙ୍କ ପ୍ରସଙ୍ଗ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପ୍ରକୃତି, ପଶୁପକ୍ଷୀ ଓ ଜୀବଜଗତର ବିଭିନ୍ନ ଉପାଦାନରୁ ମଧ୍ୟ ମଣିଷ କିପରି ଜୀବନର ମହାନ ଶିକ୍ଷା ଓ ଜ୍ଞାନ ଆହରଣ କରିପାରିବ, ତାହାକୁ ସୁନ୍ଦର ଓ ସରଳ ଭାଷାରେ ବ୍ୟାଖ୍ୟା କରୁଛନ୍ତି ସ୍ୱାମିନୀଜୀ। ତାଙ୍କର ଆଧ୍ୟାତ୍ମିକ ବାଣୀରେ ଜୀବନର ପ୍ରକୃତ ଲକ୍ଷ୍ୟ, ଆତ୍ମଜ୍ଞାନ, ସଂଯମ, ଧୈର୍ଯ୍ୟ ଓ ମାନବୀୟ ମୂଲ୍ୟବୋଧର ମହତ୍ତ୍ୱ ପ୍ରତିଫଳିତ ହେଉଛି। ଏହି ଦିବ୍ୟ ପ୍ରବଚନ ଶ୍ରବଣ କରିବା ପାଇଁ ପ୍ରତି ସନ୍ଧ୍ୟାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଭକ୍ତି, ଭାବ ଓ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ହୋଇଉଠିଛି ସମଗ୍ର ଅରେବେଡା ଗ୍ରାମ। ଭଗବତ୍ ଚିନ୍ତନ ଓ ଗୀତାର ମହାନ ଜୀବନଦର୍ଶନ ମାଧ୍ୟମରେ ମଣିଷ ଜୀବନକୁ ସତ୍ୟ, ଧର୍ମ ଓ ସତ୍କର୍ମର ପଥରେ ପରିଚାଳିତ କରିବାର ଏହି ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। କାର୍ତ୍ତିକର ପବିତ୍ର ମାହେନ୍ଦ୍ର ବେଳାରେ ଏଭଳି ଜ୍ଞାନ ଓ ଭକ୍ତିର ଆୟୋଜନ ଅଞ୍ଚଳରେ ଧାର୍ମିକ ସଦ୍‌ଭାବ, ଆଧ୍ୟାତ୍ମିକ ଜାଗରଣ ଓ ମାନବୀୟ ଚେତନାର ପ୍ରସାରରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ପାଲଟିଛି।

Leave A Reply

Your email address will not be published.