ଷ୍ଟ୍ରେଚର ନ ମିଳିବାରୁ ଶେଷରେ କାନ୍ଧରେ ବୁହାହେଲେ ରୋଗୀ

ସମ୍ବଲପୁର : ଷ୍ଟ୍ରେଚର ନ ମିଳିବାରୁ ଶେଷରେ କାନ୍ଧରେ ବୁହାହେଲେ ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ମେଡିକାଲରେ । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ମେଡିକାଲରେ ଏଭଳି ଚରମ ଅବହେଳାକୁ ନେଇ ଉଠିଛି ପ୍ରଶ୍ନ । ରୋଗୀ ଜଣକ ଅସ୍ଥିଶଲ୍ୟ ବିଭାଗର ହୋଇଥିବା ବେଳେ ଷ୍ଟ୍ରେଚର ମିଳିନଥିଲା ତାଙ୍କୁ ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ କାନ୍ଧରେ ବୋହି ନେଇଥିଲେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ବାରମ୍ବାର ଏଭଳି ଘଟଣା ବୁର୍ଲା ମେଡିକାଲରେ ଦେଖିବାକୁ ମିଳୁଥିଲେ ମଧ୍ୟ ମେଡିକାଲ କର୍ତୃପକ୍ଷ କିନ୍ତୁ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ବୁର୍ଲା ମେଡିକାଲ ହେଉଛି ପଶ୍ଚିମ ଓଡିଶାର ବଡ ମେଡିକାଲ । ସାରା ପଶ୍ଚିମ ଓଡିଶା ବାସୀ ଏହି ମେଡିକାଲ ଉପରେ ଅନେକ ବିଶ୍ୱାସ ଓ ଆଶା ନେଇ ଏଠାକୁ ରୋଗୀ ସେବାପାଇଁ ଧାଇଁ ଆସିଥାଆନ୍ତି । ହେଲେ ବୁର୍ଲା ମେଡିକାଲରେ ଦିନକୁ ଦିନ ରୋଗୀ ସେବା ଜନିତ ସମସ୍ୟା ବଢିବାରେ ଲାଗିଛି ।
ରୋଗୀ ଆସିବା ସମୟରୁ ହିଁ ସମସ୍ୟା ଅନୁଭବ କରୁଛନ୍ତି । ବର୍ତ୍ତମାନ ମେଡିକାଲରେ ଷ୍ଟ୍ରେଚର୍ ଅଭାବ ଏକ ବଡ ସମସ୍ୟା ଭାବେ ଛିଡା ହୋଇଛି । ସବୁଠାରୁ ବଡ କଥା ହେଲା ମେଡିକାଲକୁ ଆସୁଥିବା ଅସ୍ଥିଶୈଲ୍ୟ ସମସ୍ୟା ରହିଥିବା ରୋଗୀ ମାନଙ୍କୁ ଏହି ଷ୍ଟ୍ରେଚର୍ ସମସ୍ୟା ରୋଗିଙ୍କ କଷ୍ଟକୁ ଦୁଇଗୁଣିତ କରି ଦେଇଛି । ମେଡିକାଲରେ ଷ୍ଟ୍ରେଚର୍ ସଂଖ୍ୟା କମ୍ ଥିବା କାରଣରୁ ରୋଗୀଙ୍କୁ ଉପଯୁକ୍ତ ସମୟରେ ଷ୍ଟ୍ରେଚର ମିଳିପାରୁନାହିଁ । ତେବେ ମେଡିକାଲରେ ଏହି ଷ୍ଟ୍ରେଚର୍ ସମସ୍ୟା ଗୁରୁତର ରୂପ ନେଉଥିବା ବେଳେ କର୍ତୃପକ୍ଷ ଏଥିପ୍ରତି ଦ୍ରୁଷ୍ଟି ଦେବା ସହିତ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.