jayashree

ତାଣ୍ଡବ ରଚିଲା କାଳବୈଶାଖୀ, ଘରର ଛାତ ସହ ଉଡ଼ିଲା ବାଇକ୍ : ଉପାଡି ଦେଲା ଶହ ଶହ ଗଛ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁବାର ଦିନ ରାତ୍ର ପ୍ରାୟ ୮ଟା .୧୫ମିନିଟ୍‌ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରବଳ କାଳବୈଶାଖୀ ଝଡ଼ ସାଙ୍ଗକୁ ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ପ୍ରଳୟଙ୍କାରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଥିଲା । ସହରର ଜୟଗୁରୁ ମାର୍କେଟ ମେନ୍‌ରୋଡ୍‌, କଲେଜ ରୋଡ୍‌, ବସଷ୍ଟାଣ୍ଡ୍‌ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସହ ସହରର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକର କିଛି ଅଞ୍ଚଳରେ ଶହ ଶହ ବଡ଼ ବଡ଼ ଗଛ ଉପୁଡି ଭାଙ୍ଗିପଡିଛି । ଫଳରେ ରାସ୍ତା ଅବରୋଧ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପୌର ପରିଷଦ କର୍ମଚାରୀ ମଧ୍ୟ ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଣ୍ଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ଥିବା ବେଳେ କେତେବେଳେ ଲାଇଟ୍ ଆସିବା ଅନିଶ୍ଚିତତା ଦେଖାଯାଇଛି । ବିଦ୍ୟୁତ୍ ବିଭାଗ ପୁନଃରୁଦ୍ଧାର କାମରେ ଲାଗିଛି । ସେପଟେ ପ୍ରବଳ ଗୁଳୁଗୁଳିରେ ଭାଜି ହେଉଛନ୍ତି ସୋନପୁର ଜିଲ୍ଲାବାସୀ । ବିଦ୍ୟୁତ ଯୋଗୁଁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି । ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଜନସାଧାରଣ କଣ ବା କରାଯାଇପାରେ ପ୍ରାକୃତିକ ବିପର୍ଯ୍ୟୟକୁ । କିନ୍ତୁ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ ବିଭାଗ ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନଃରୁଦ୍ଧାର କରିବା ପାଇଁ ବୁଦ୍ଧିଜୀବୀ ତଥା ଜନସାଧାରଣରେ ଦାବି ହୋଇଛି । ଗଛପଡ଼ି ବ୍ୟାପକ ଘର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ଝଡ ତଥା କୁଆପଥର ବର୍ଷା ମାଡ଼ରେ ନଷ୍ଟ ହୋଇଯାଇଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଗଛ ପଡି ରାସ୍ତାକଡରେଥିବା ଅନେକ କାର୍ ଓ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତାରୁ ଗଛକାଟି ହଟାଯାଉଛି । କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରାଯିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯିବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.