pakka

ବଲାଙ୍ଗିର ଜିଲ୍ଲାପାଳଙ୍କ ୫ଟି ସ୍କୁଲ ପରିଦର୍ଶନ : ଡ଼ବ୍ଲୁଓଡିସି ଅନୁଦାନରେ ହେବାକୁ ଥିବା ମଡେଲ ସ୍କୁଲ ସ୍ଥାନ ଚୟନକୁ ବର୍ଷିଲେ ଜିଲ୍ଲାପାଳ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ଼ ଅଞ୍ଚଳର ତିନୋଟି ସ୍କୁଲକୁ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି । ୫ଟି ଅନୁଦାନରେ ନିର୍ମାଣ ଧୀନ ମଡେଲ ସ୍କୁଲ କୋଠା ଗୁଡିକର କାମ ପରଖିବା ସହ ସ୍କୁଲର ଭିତିଭୂମି ଉପରେ ଆଲୋଚନା କରିଥିଲେ ।ଟିଟିଲାଗଡ଼ ସହର ନିକଟସ୍ଥ ସିହିନୀ ଗାଁରେ ୫ଟି ଅନୁମୋଦନରେ ସ୍କୁଲ ଭିତରେ ଚାଲୁଥିବା କୋଠା ଗୁଡିକର କାମ ବୁଲି ଦେଖିବା ସହ ଲାବ୍ରୋଟାରୀଗୁଡିକ ମଧ୍ୟ ଦେଖି ବୁଲିଥିଲେ । ପରେ ଟିଟିଲାଗଡ଼ ମହେଶ୍ୱର ହିନ୍ଦୀ ହାଇସ୍କୁଲରେ ମଧ୍ୟ ୫ଟି ଅନୁଦାନରେ ଚାଲୁଥିବା କାମର ତଦାରଖ କରି ବେଶ ପ୍ରଶଂସା କରିଥିଲେ । ଏହି ସମୟରେ ହିନ୍ଦୀ ହାଇସ୍କୁଲ ଏବଂ ହିନ୍ଦୀ ପ୍ରାଥମିକ ବିଦ୍ୟାଳୟର ଦଶ ଗୋଟି ଷ୍ଟଲର ଭଡା ସ୍କୁଲ କମିଟିକୁ ନ ଆସି ସ୍କୁଲ ନାମରେ ଥିବା ଏକ ଟ୍ରଷ୍ଟକୁ ଯାଉଥିବାରୁ ସ୍କୁଲର ଅନେକ ଉନ୍ନୟନ କାମ ହୋଇ ପାରୁନଥିବା ନେଇ ହିନ୍ଦୀ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ । ଏମିତିକି ସ୍କୁଲର ନିଜସ୍ୱ ଖେଳ ପଡିଆ ନଥିବାରୁ ବିଭିନ୍ନ ପ୍ରକାର ସ୍ପୋଷ୍ଟସ, ଖେଳକୁଦ ଆଦି ସମୟରେ ଅନେକ ସମସ୍ୟା ଦେଖା ଦେଉଥିବା ନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲାପାଳ ଟିଟିଲାଗଡ଼ ବାଳକ ହାଇସ୍କୁଲକୁ ଯାଇ ବିଭିନ୍ନ କାମର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ସ୍କୁଲ ହତା ବୁଲି ଦେଖିଥିଲେ । ଟିଟିଲାଗଡ଼ ବାଳକ ହାଇସ୍କୁଲକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିଜ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିବା ବେଳେ ସ୍କୁଲର ଉନ୍ନୟନ ଏବଂ ମୋଡେଲ ସ୍କୁଲ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ୯୯ ଲକ୍ଷ ଟଙ୍କା ବିନିଯୋଗରେ ଏକ ମୋଡେଲ ସ୍କୁଲ ନିର୍ମାଣ କରିବା ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି । ତେବେ ଏହି ଅର୍ଥରେ ନିର୍ମାଣ ହେବାକୁ ଥିବା ମୋଡେଲ ସ୍କୁଲର ସ୍ଥାନ ଚୟନକୁ ନେଇ ଜିଲ୍ଲାପାଳ ବେଶ ବର୍ଷିଥଲେ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ପୂର୍ତ୍ତବିଭାଗର ଜେଇଙ୍କ ଉପରେ । ବାହାରେ ପୁରୁଣା ଶ୍ରେଣୀ କୋଠା ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭଙ୍ଗା ଦଦରା କୋଠା ରହିଥିବା ବେଳେ ମୋଡେଲ ସ୍କୁଲକୁ ସ୍କୁଲର ପଛପଟେ କାହାର ସ୍ୱାର୍ଥରେ ନିର୍ମାଣ କରାଯିବା ନେଇ ଯୋଜନା କରାଯାଇଛି ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଥିଲେ । ସ୍କୁଲକୁ ହାଇସ୍କୁଲର ମଧ୍ୟ ଭାଗରେ ନିର୍ମାଣ କରାଯିବା ନେଇ ଜିଲ୍ଲାପାଳ ତାଗିଦ କରିବା ସହ ମନମାନି ସ୍ଥାନ ଚୟନ କଲେ ପ୍ରକଳ୍ପକୁ ବାତିଲ କରିଦିଆଯିବ ବୋଳି କଡା ଚେତାବନି ଦେଇଥିଲେ । ଟିଟିଲାଗଡ଼ ବେଲଗାଁ ମୁଖ୍ୟ ରାସ୍ତା ତଥା ସହରର ମଧ୍ୟ ଭାଗରେ ରହିଥିବା ସରକାରୀ ବାଳକ ହାଇସ୍କୁଲ ପାଇଁ ୫ଟି ବିଭାଗରୁ ୩୭ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଅଧ୍ୟକ୍ଷ ଅସିତ ତ୍ରିପାଠୀ ୯୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ହେଲେ ସ୍ଥାନୀୟ ପୂର୍ତ୍ତ ବିଭାଗ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ମନଇଚ୍ଛା ସ୍ଥାନ ଚୟନ କରି କୋଠା ନିର୍ମାଣ କରିବାକୁ ଯୋଜନା ରଖିଥିବା ବେଳେ ଜିଲ୍ଲାପାଳ ଭିତ୍ତିପ୍ରସ୍ଥର ସ୍ଥାପନ କରିବେନି ବୋଲି ରୋକଠୋକ ଶୁଣାଇ ଦେଇ ପ୍ରଥମେ ନିର୍ମାଣ ସ୍ଥାନ ପରିବର୍ତନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପୁରୁଣା ଭଙ୍ଗା ଦଦରା ଅବସ୍ଥାରେ ରହିଥିବା ଶ୍ରେଣୀ ଗୃହ, କୋଠା ଘରକୁ ଭାଙ୍ଗି ସେହି ସ୍ଥାନରେ ନୂତନ ଅତ୍ୟାଧୁନିକ ମୋଡେଲ ସ୍କୁଲ ନିର୍ମାଣ କରିବାକୁ କହିଥିଲେ । ପରେ ସ୍କୁଲର ବାଉଣ୍ଡ୍ରୀ ଭିତରେ ଆଉ ଏକ ବାଉଣ୍ଡ୍ରୀ ଦେଖି ସରକାରଙ୍କ ଅନୁଦାନକୁ ବେପରୁଆ ଭାବରେ ବିନିଯୋଗ କରାଯାଉଥିବାରୁ ଜିଲ୍ଲାପାଳ ତୀବ୍ର ସମାଲୋଚନା କରିଥିଲେ । ଏମିତି କି ୫ଟି ଅନ୍ତର୍ଗତ ହେଉଥିବା କୋଠା ଘର, ଲାଇବ୍ରେରୀର କାମକୁ ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ମନ ଇଚ୍ଛା ସରକାରୀ ଟଙ୍କାର ଦୁରୁପଯୋଗ କରିବା ସହ ଅତି ନିମ୍ନମାନର ଉପକରଣ ରହିଥିବାରୁ ଯୁଦ୍ଧକାଳୀନ ଭିତରେ ସବୁ ସଜାଡିବାକୁ ଠିକ୍‌ ଭାବରେ କାମ କରିବାକୁ ନିର୍ଦେଶ ଦେଇଥିଲେ । ପୁରୁଣା ପାଇଖାନାକୁ ରଙ୍ଗ ବୋଲି ସଫାକରାଇ କେବଳ ପ୍ଲେଟ ଲଗାଇ ନୂଆ କାମ ନିର୍ମାଣ କରାଯାଇଥିବା ଠିକାଦାରର ଚଞ୍ଚକତାକୁ ନେଇ ବିରକ୍ତିଭାବ ପ୍ରକାଶ କରିଥିଲେ ବଲାଙ୍ଗିର ଜିଲ୍ଲାପାଳ । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଏହି ଗସ୍ଥରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା, ଟିଟିଲାଗଡ଼ ତହସିଲଦାର ପ୍ରେମଲାଲ ହିଆଲ, ବିଡ଼ିଓ ଟିଟିଲାଗଡ଼ ନବୀନ ନାୟକ, ଟିଟିଲାଗଡ଼ ବିଇଓ ମୁକୁନ୍ଦ ମହଲା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + 7 =