ବିଶ୍ୱର ପ୍ରଥମ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠାତା ସାର୍‌ ଭାଲେଣ୍ଟାଇନ ହାୱେଙ୍କ ୨୭୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନମାନଙ୍କ କଲ୍ୟାଣ ପାଇଁ ସାର୍‌ ଭାଲେଣ୍ଟାଇନ ହାୱେ ସର୍ବପ୍ରଥମେ ପ୍ୟାରିସ ଠାରେ ୧୭୮୨ ମସିହାରେ ପ୍ରଥମ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପ୍ରତିବର୍ଷ ନଭେମ୍ବର ୧୩ ତାରିଖରେ ତାଙ୍କ ଜନ୍ମଦିନ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ ଶୁକ୍ରବାର ଆମ୍ବପୁଆସ୍ଥିତ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ ଆନୁକୂଲ୍ୟରେ ଲୁଇବ୍ରେଲ ଧନ୍ଦାମୂଳକ ତାଲିମ କେନ୍ଦ୍ର ପରିସରରେ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥଙ୍କ ସଭାପତିତ୍ୱରେ ସାର ଭାଲେଣ୍ଟାଇନ ହାୱେଙ୍କ ଜୟନ୍ତୀ ପାଳନ ଓ ପ୍ରତିଷ୍ଠାନର ତ୍ରୟବିଂଶତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ବୈଜ୍ଞାନିକ ଡ.ଡମ୍ବରୁଧର ସାହୁ, ସମ୍ମାନିତ ଅତିଥି ଭାବେ ନବୀନର ସମ୍ପାଦକ ରବି ରଥ, ସାହିତ୍ୟିକ ସୁଶାନ୍ତ କୁମାର କର ଓ ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ପ୍ରୁମଖ ଯୋଗଦେଇ ବିଶ୍ୱର ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ପରିଚିତି ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଝାରସୁଗୁଡ଼ା ଝାଡେ଼ଶ୍ୱର ସ୍ୱତନ୍ତ୍ର ବିଦ୍ୟାଳୟକୁ ବ୍ରେଲ କିଟ୍‌ ଓ ଧଳାବାଡ଼ି ପ୍ରଦାନ କରାଯାଇଥିଲା । ରୁଦ୍ର ପ୍ରସାଦ ମହାରଣା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରଜନୀକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ମାଳତୀପ୍ରଭା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.