pakka

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ଓଏଏସପି ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଗବତୀଙ୍କ ଜୀବନୀ ଓ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ଭଗବତୀଙ୍କୁ ପ୍ରଗତିଶୀଳ ସାହିତ୍ୟର କର୍ଣ୍ଣଧାର ଓ ତାଙ୍କୁ ଓଡିଶାର ଲେଲିନ ବୋଲି ଅବହିତ କରିଥିଲେ । ଏହି ଅବସରରେ ସେ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ବ୍ରିଟିଶ ଶାସନାଧୀନ ଓଡ଼ିଶା ସଂକଟମୟ ସମୟ ଦେଇ ଗତି କରୁଥିବା ବେଳେ ଓ ରାଜନୈତିକ ଅସ୍ଥିରତା ତଥା ସାମାଜିକ କୁସଂସ୍କାର ବିରୁଦ୍ଧରେ ଯେଉଁମାନେ ସାମାଜିକ ପରିବର୍ତ୍ତନ ଆଣିବାରେ କଲମ ଚାଳନା କରିଥିଲେ ସେମାନଙ୍କ ମଧ୍ୟରେ ଭଗବତୀ ଚରଣ ପାଣିଗ୍ରାହୀ ଅନ୍ୟତମ । ପାରମ୍ପରିକ ସାହିତ୍ୟ ସୃଷ୍ଟିରୁ ବିରତ ହୋଇ ସେ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟି କରି ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଛନ୍ତି । ସାମ୍ୟବାଦ ଆଦର୍ଶରେ ଅନୁପ୍ରାଣିତ ଭାଗବତୀ ବଂଧୁ ପ୍ରାଣନାଥ ଓ ଗୁରୁଚରଣ ପଟ୍ଟନାୟକଙ୍କ ସହ ମିଶି ଓଡିଶାରେ ବିଧିବଦ୍ଧ କମ୍ୟୁନିଷ୍ଟ ଦଳ ଗଠନ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ଶୁଭଶ୍ରୀ ଆଚାର୍ଯ୍ୟ ଭଗବତୀଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ନାୟକ କାର୍ଯ୍ୟକ୍ରମ ପାଳନର ଆବଶ୍ୟକତା ସହ ଅତିଥିଙ୍କ ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର ବିଶ୍ୱାଳ, ଉମାକାନ୍ତ କରଣ, ରାମଚନ୍ଦ୍ର ମିଶ୍ର, ମମତା ମହନ୍ତ, ଅଚଳା ମିଶ୍ର, ପ୍ରତାପ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ରବିନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

fourteen − 7 =

error: Content is protected !!