
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଆମ୍ବାଗନସ୍ଥିତ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ତଳେ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳନ ହୋଇଯାଇଛି । ବରେଣ୍ୟ ମୁଖ୍ୟ ଅତିଥି ଭାବେ ଡ. ସୁମନ ଦତ୍ତ ଓ ମୁଖ୍ୟ ବକ୍ତା ରୂପେ ପ୍ରାବନ୍ଧିକ ଗଗନ ବିହାରୀ ଧଳ ଯୋଗଦେଇଥିବା ବେଳେ ସହରର ବହୁ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସେବା ସଂସ୍ଥାନର ପ୍ରମୁଖ ଗୋପବନ୍ଧୁପ୍ରେମୀ ବ୍ୟକ୍ତିତ୍ଵମାନେ ଯୋଗଦେଇଥିଲେ । ସର୍ବପ୍ରଥମେ ସମସ୍ତ ଅତିଥି ଗୋପବନ୍ଧୁଙ୍କ ବିଶାଳ ମୂର୍ତ୍ତିର ପାଦଦେଶରେ ସଂସ୍ଥାପିତ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶ୍ରୀ ମହାପାତ୍ର ଗୋପବନ୍ଧୁଙ୍କ ସ୍ମୃତି ତର୍ପଣ ପୂର୍ବକ ଗୋପବନ୍ଧୁ ଚଳିତ ଶତାବ୍ଦୀର ସର୍ବଶ୍ରେଷ୍ଠ ମର୍ଯ୍ୟାଦାବନ୍ତ ଐତିହାସିକ, ସାଂସ୍କୃତିକ ଓ ସାରସ୍ଵତ ପୁରୁଷ ବୋଲି ବକ୍ତବ୍ୟ କରି, ତାଙ୍କର ସେବା, ସଂଗ୍ରାମ ଓ ସାଧନା ସମ୍ପର୍କରେ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ଶ୍ରୀ ଧଳ ଓ ଡଃ. ଦତ୍ତ ସେମାନଙ୍କ ବକ୍ତବ୍ୟରେ ଗୋପବନ୍ଧୁ ଜଣେ ବ୍ୟକ୍ତିରୁ ଗୋଟିଏ ଅନୁଷ୍ଠାନରେ ନିଜକୁ ରୂପାନ୍ତରିତ କରି ନବ ଉତ୍କଳର ନିର୍ମାତା ରୂପେ ତାଙ୍କ କାର୍ଯ୍ୟଧାରାର ଅର୍ଦ୍ଧଶତାବ୍ଦୀର ଇତିହାସ ରୋମାନ୍ଥନ କରିଥିଲେ । ଶ୍ରୀ ପତି ତାଙ୍କ ସଭାପତିତ୍ୱ ଅଭିଭାଷଣରେ ସମସ୍ତ ବକ୍ତବ୍ୟର ନିର୍ଯ୍ୟାସକୁ ଉପସ୍ଥାପନ ପୂର୍ବକ ଏକ ତମସାଚ୍ଛନ୍ନ ଘଡିସନ୍ଧି ସମୟ ଖଣ୍ଡରେ ଏହି ଦେବପୁରୁଷ ଗୋଟିଏ ମୁର୍ମୂଷୁଜାତିକୁ ଆଶାର ଜ୍ୟୋତି ପ୍ରଜ୍ଜ୍ୱଳିତ କରି ଜିଇଁବାର ଆଲୋକ ପ୍ରଦାନ କରିଥିଲେ ଏବଂ କୋଟି କୋଟି ଜନତାର ଆଶା, ଆକାଂକ୍ଷା ଓ ପ୍ରେରଣାର ଉତ୍ସ ଥିଲେ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ଵତ ପୁଷ୍ପାଞ୍ଜଳି ସଭାରେ ସହରର ବିଭିନ୍ନ ଅନୁଷ୍ଠାନରୁ ସୁଶାନ୍ତ କୁମାର ନାୟକ, ଗଙ୍ଗାଧର ପୁହାଣ, ଗୌତମ ଦାସ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଶ୍ରୀନିବାସ ସେଠୀ, ଛବି ମହାନ୍ତି, ପ୍ରଫୁଲ୍ଲ କୁମାର ସାମଲ, ଦିବାକର ଦାସ, ଡା. ବସନ୍ତ କୁମାର ଦାସ, ଧୋଦେଇ ବେହେରା, ବିଦ୍ୟୁତ ମହାନ୍ତି, ଗୀତାରାଣୀ ବେହେରା।, ଅଶୋକ କୁମାର ପଟ୍ଟନାୟକ, ସତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇଥିଲେ ।