
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୫୯ ନମ୍ବର ଜାତୀୟ ରାଜପଥ ଏବେ ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି । ଗୋଟିଏ ପଟେ ଦ୍ରୁତଗାମୀ କାର୍ର ସିରିଜ୍ ଦୁର୍ଘଟଣା, ଅନ୍ୟପଟେ କାର୍-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । ଦୁଇଟି ଦୁର୍ଘଟଣା ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଶୋକର ପରିବେଶ ସୃଷ୍ଟି ହୋଇଛି । ରାଜପଥରେ ଯାନବାହନ ଚଳାଚଳ ସମୟରେ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା କେତେ ଭୟଙ୍କର ପରିଣାମ ଆଣିପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ପାଲଟିଛି । ସୂଚନା ଅନୁଯାୟୀ, ବାଲିଗୁଡ଼ା ସହର ନିକଟ ଦଣ୍ଡପଦର ଠାରେ ଏକ ଦ୍ରୁତଗାମୀ ହୁଣ୍ଡାଇ କାର୍ ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା । ଏହାପରେ କାର୍ଟି ବାଲିଗୁଡ଼ା ସହର ଆଡ଼କୁ ଆସୁଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇବା ପରେ ଚାଳକ ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ଖବର ପାଇ ବାଲିଗୁଡ଼ା ପୁଲିସ ଗାଡ଼ିଟିକୁ ପିଛା କରି ଜକିକିଆ ନିକଟରେ ଅଟକାଇଥିଲା । ପୁଲିସ କାର୍ଟିକୁ ଜବତ କରିବା ସହ ଚାଳକଙ୍କ ସମେତ ଗାଡ଼ିରେ ଥିବା ପାଞ୍ଚ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେମାନେ ବଲାଙ୍ଗିର ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି ଘଟଣାରେ ଆହତ ଦୁଇ ଜଣଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ, ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ନିକଟରେ ମାରୁତି ସ୍ୱିଫ୍ଟ କାର୍ ଓ ପଲସର ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବନେମିଲା ଗ୍ରାମର ପଦ୍ମ ମଲ୍ଲିକଙ୍କ ମୃତ୍ୟୁ ହୋଇଛି । ବାଇକ୍ରେ ଥିବା ଗୋପାଳ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ପଦ୍ମଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳେ ଅଞ୍ଚଳରେ ଘନ କୁହୁଡ଼ି ରହିଥିବାରୁ ରାସ୍ତାରେ ଦୃଶ୍ୟମାନତା କମିଯାଇଥିଲା । ତେବେ ବାଟାଗୁଡ଼ା ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ପକ୍ଷରୁ ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ । ସେହିପରି ସିରିଜ୍ ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ମଦ୍ୟପାନ କରିଥିବା ଅଭିଯୋଗ ଉଠିଥିଲେ ମଧ୍ୟ ଏହାର ଆଧିକାରିକ ନିଶ୍ଚିତକରଣ ଆବଶ୍ୟକ । ଦ୍ରୁତଗତିରେ ଗାଡ଼ି ଚଳାଇବା, ଯାତାୟାତ ନିୟମ ପ୍ରତି ଅବହେଳା ଓ କୁହୁଡ଼ି ସମୟରେ ସତର୍କତାର ଅଭାବ ରାସ୍ତାରେ ଯାତ୍ରାକୁ ବିପଦପୂର୍ଣ୍ଣ କରୁଛି । ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ପୁଲିସର ନିୟମିତ ଯାଞ୍ଚ, ଦ୍ରୁତଗାମୀ ଗାଡ଼ି ଉପରେ ନଜର ଏବଂ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।