jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନିବେଶକ ସଚେତନତା ସେମିନାର

  • ଆର୍ଥିକ ସାକ୍ଷରତା ଓ ନିବେଶକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିବେଶକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି, ସଚେତନ ନିବେଶ ଅଭ୍ୟାସର ପ୍ରସାର ଏବଂ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ଉଦ୍ଦେଶ୍ୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରଠାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନ୍‌ଏସ୍‌ଇ)ର ମିଳିତ ସହଯୋଗରେ ଏକ ଆଞ୍ଚଳିକ ନିବେଶକ ସଚେତନତା ଓ ସଶକ୍ତୀକରଣ ସେମିନାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ନୂତନ ଶିକ୍ଷା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଆୟୋଜିତ ଏହି ସେମିନାରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଡ. କୌଶଲ୍ୟା କିଷାନଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ । ଏନ୍‌ଏସ୍‌ଇର ଉପପ୍ରବନ୍ଧକ ପ୍ରଦୀପ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତିଭୂତି ବଜାରର କାର୍ଯ୍ୟପ୍ରଣାଳୀ, ନିବେଶ ପ୍ରକ୍ରିୟା ଏବଂ ନିବେଶକଙ୍କ ସୁରକ୍ଷା ସମ୍ପର୍କରେ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ସେମିନାରରେ ସେବି ଓ ଷ୍ଟକ୍ ଏକ୍ସଚେଞ୍ଜର ଭୂମିକା, ପ୍ରତିଭୂତି ବଜାରର କାର୍ଯ୍ୟପ୍ରଣାଳୀ, ଡିମାଟ୍ ଖାତା ଖୋଲିବା, ସେୟାର କିଣାବିକା ପ୍ରକ୍ରିୟା ଏବଂ ପଞ୍ଜୀକୃତ ମଧ୍ୟସ୍ଥିଙ୍କ ମାଧ୍ୟମରେ ନିବେଶ କରିବାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ଏଥିସହ ନିବେଶ ସହ ଜଡ଼ିତ ବିପଦ, ଠକେଇପୂର୍ଣ୍ଣ ଯୋଜନା ଏବଂ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଉପଲବ୍ଧ ତଥ୍ୟର ସତ୍ୟତା ଯାଞ୍ଚ କରିବା ଉପରେ ଅଂଶଗ୍ରହଣକାରୀଙ୍କୁ ସଚେତନ କରାଯାଇଥିଲା । ନିବେଶରେ ବିପଦ ଓ ଲାଭ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା, ଉତ୍ତମ ଆର୍ଥିକ ଅଭ୍ୟାସ ଗଢ଼ିତୋଳିବା ଏବଂ ଅଳ୍ପ ସମୟରେ ଅଧିକ ଲାଭ ଦେବାର ଅବାସ୍ତବ ପ୍ରତିଶ୍ରୁତିରୁ ଦୂରେଇ ରହିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହା ସହିତ ନିବେଶକଙ୍କ ଅଭିଯୋଗର ସମାଧାନ ପ୍ରକ୍ରିୟା ଏବଂ ନିୟାମକ ସଂସ୍ଥା ପକ୍ଷରୁ ଉପଲବ୍ଧ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ସେମିନାର ଅଂଶଗ୍ରହଣକାରୀଙ୍କୁ ଆର୍ଥିକ ବଜାର ସମ୍ପର୍କରେ ଜ୍ଞାନ ଓ ବ୍ୟବହାରିକ ମାର୍ଗଦର୍ଶନ ପ୍ରଦାନ କରିବା ସହ ଦାୟିତ୍ୱପୂର୍ଣ୍ଣ ନିବେଶ ଏବଂ ସଚେତନ ଆର୍ଥିକ ନିଷ୍ପତ୍ତି ଗ୍ରହଣ ପାଇଁ ପ୍ରେରଣା ଯୋଗାଇଥିଲା । ଏଭଳି କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି କରିବା ସହ ଏକ ଆତ୍ମବିଶ୍ୱାସୀ ଓ ଆର୍ଥିକ ଭାବେ ସଶକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ଓମ୍ ପ୍ରକାଶ ପୂଜାହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.