jayashree

୩୨ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ଉଷୁ ଦଳର ବେଲପାହାଡ ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲା ଉଷୁ ସଂଘ ପକ୍ଷରୁ ୩୨ତମ ଓଡ଼ିଶା ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ଚଳିତ ଅଗଷ୍ଟ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ବେଲପାହାଡ ହୋଟେଲ ସନସିଟି ପ୍ୟାଲେସ୍ ଠାରେ ଆୟୋଜିତ ହେବ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୩୫୦ ଜଣ ପୁରୁଷ ଓ ମହିଳା ଖେଳାଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିବେ । ସ୍ପୋର୍ଟସ୍ ଉଷୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ର ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାରୁ ୪୫ ଜଣ ଖେଳାଳି ଓ ୩ ଜଣ ଅଧିକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବେଲପାହାଡ଼ ଅଭିମୁଖେ ଯାତ୍ରା କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁଜନ ରଥ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରୁଥିବା ଖେଳାଳିମାନେ ଚଳିତ ବର୍ଷ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଉଷୁ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିପାରିବେ । ସୁଜନ ରଥ ଆହୁରି କହିଛନ୍ତି ଯେ, ଏଥର ପ୍ରତିଯୋଗିତା ପାଇଁ ଖେଳାଳିମାନେ ବହୁତ ଜୋରଦାର ପ୍ରସ୍ତୁତି କରିଛନ୍ତି । ଖେଳାଳିମାନଙ୍କ କୌଶଳ ଓ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ୧୦ ଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଖେଳାଳିମାନେ ସକାଳ ଓ ସନ୍ଧ୍ୟା ଉଭୟ ସମୟରେ ନିୟମିତ ଭାବେ ଅଭ୍ୟାସ କରି କଠିନ ପରିଶ୍ରମ କରିଛନ୍ତି । ଗତ ତିନିବର୍ଷ ଧରି ସୁନ୍ଦରଗଡ଼ ଉଷୁ ଦଳ କ୍ରମାଗତ ଭାବେ ଚାମ୍ପିଅନ୍ ଟ୍ରଫି ହାସଲ କରିଆସୁଛି । ଚଳିତ ବର୍ଷ ମଧ୍ୟ ଏହି ଚାମ୍ପିଅନ ଟ୍ରଫି ସୁନ୍ଦରଗଡ଼କୁ ଆସିବ ବୋଲି ଦୃଢ଼ ଆଶା ବ୍ୟକ୍ତ କରି ସଂଘର ଉପସଭାପତି ଟିକା ବାହାଦୁର କହିଛନ୍ତି ଯେ, ଦଳ ଏଥର ମଧ୍ୟ ଉତ୍ତମ ପ୍ରଦର୍ଶନ କରିବ । ଦଳ ବେଲପାହାଡ଼ ଅଭିମୁଖେ ଯାତ୍ରା କରିବା ପୂର୍ବରୁ କ୍ରୀଡ଼ା ଉପନିର୍ଦ୍ଦେଶକ ସୁଦୀପ୍ତ ନାୟକ, କ୍ରୀଡ଼ାପ୍ରେମୀ ଓ.ପି. ସିଂହ ଏବଂ ରାଇମା କ୍ଲବର ସାଧାରଣ ସମ୍ପାଦକ ବାସୁଦେବ ବାନାର୍ଜୀ ଖେଳାଳିମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ମନୋବଳ ବଢ଼ାଇବା ସହ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ସ୍ପୋର୍ଟସ୍ ଉଷୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.