
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଫଟୋଗ୍ରାଫି ଦିବସ ଅବସରେ ରାଉରକେଲା ଫଟୋଗ୍ରାଫି ଆସୋସିଏସନ୍ ପକ୍ଷରୁ ଉଦିତନଗର ଫିଟନେସ୍ ପାର୍କଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରର ୧୦ରୁ ଅଧିକ ଫଟୋଗ୍ରାଫର ଏଥିରେ ଯୋଗଦେଇ ଏକତା ଓ ସହଯୋଗର ନିଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ କେକ୍ କଟା ଯିବା ସହ ଫଟୋଗ୍ରାଫରମାନଙ୍କ ସମସ୍ୟା ଓ ସ୍ୱାର୍ଥ ରକ୍ଷା ନେଇ ଆଲୋଚନା ହୋଇଥିଲା । ଏହି ଅବସରେ ଆସୋସିଏସନ୍ ପକ୍ଷରୁ ଆବଶ୍ୟକତାଗ୍ରସ୍ତଙ୍କୁ ଛତା ବଣ୍ଟନ କରାଯାଇଥିଲା । ଓଡ଼ିଶା ଫଟୋଗ୍ରାଫର ମହାସଂଘର ସହଯୋଗରେ ଆଗାମୀ ଦିନରେ ହେବାକୁ ଥିବା “ଫୋଟୋ ଫେୟାର”ର ପୋଷ୍ଟର ମଧ୍ୟ ଉନ୍ମୋଚିତ ହୋଇଥିଲା । ଶେଷରେ ନୃତ୍ୟ-ଗୀତ ମାଧ୍ୟମରେ ଦିବସ ପାଳନ କରାଯାଇଥିଲା । ଆସୋସିଏସନ୍ର ଅଧ୍ୟକ୍ଷ ପ୍ରକାଶ କୁମାର ମହାକୁଳ, କାର୍ଯ୍ୟକାରୀ ଅଧ୍ୟକ୍ଷ ଦିଲୀପ ମହାନ୍ତି, ସମ୍ପାଦକ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।