‘ବଲାଙ୍ଗିର ପାଇଁ ଜନସହଭାଗିତା କାର୍ଯ୍ୟକ୍ରମ’ରେ ଯୋଗଦେଲେ ଶତାଧିକ ସଂଗଠନ

  • ଲୋକଙ୍କ ପ୍ରସ୍ତାବ ଓ ସହଭାଗିତାରେ ଆଗେଇବ ବଲାଙ୍ଗିର ବିକାଶର ଧାରା : କଳିକେଶ

ବାଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ପ୍ରସ୍ତାବଗୁଡିକୁ ଗ୍ରହଣ କରି ସେମାନଙ୍କ ସହଭାଗିତାରେ ବଲାଙ୍ଗିରର ବିକାଶ ଧାରା ଆଗେଇ ଚାଲିବ । ‘ବଲାଙ୍ଗିରର ଉନ୍ନତି ହେଉଛେ ଓ ଆଗକେ ହେବା, କଥାରେ ନୁହେଁ ଆମେ କାମରେ ବିଶ୍ୱାସ କରୁଁ’ ବୋଲି ସ୍ଥାନୀୟ ମୀନା ଟେଣ୍ଟହାଉସଠାରେ ବଲାଙ୍ଗିରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଜାତି ଅନୁଷ୍ଠାନଗୁଡିକୁ ନେଇ ଆୟୋଜିତ “ବଲାଙ୍ଗିର ପାଇଁ ଜନସହଭାଗିତା” କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମତ ଦେଇଛନ୍ତି । ଶ୍ରୀ ସିଂହଦେଓ ସେ ସାଂସଦ ତଥା ଅନଙ୍ଗଉଦୟ ସିଂଦେଓ ମନ୍ତ୍ରୀ ଥିବା ସମୟରେ ବଲାଙ୍ଗିର ବିକାଶ ପାଇଁ କରିଥିବା ପ୍ରୟାସ ବିଷୟରେ ବକ୍ତବ୍ୟ ରଖିଥିଲେ । ବଲାଙ୍ଗିର ବିକାଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ନେଇଥିବା ପଦକ୍ଷେପ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ । ବଲାଙ୍ଗିରର ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ତ୍ୱରାନ୍ୱିତ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ତରଭାରୁ ବଲାଙ୍ଗିରକୁ ଅଣାଯାଇଥିବା ପାନୀୟ ଜଳ ପ୍ରକଳ୍ପ, ବଲାଙ୍ଗିରର ଷ୍ଟେଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମେନେଜମେଣ୍ଟ, ଭୀମଭୋଇ ମେଡିକାଲ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ, ବାଇପାସ ରାସ୍ତା, ରିଂରୋଡ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ତୁଷୁରା ଉଡାଜାହାଜ ପଡିଆ, ମନ୍ଦିର, ମସଜିଦ ଓ ଗୀର୍ଜାଘର ରୂପାନ୍ତରିକରଣ, ପାର୍କଗୁଡିକର ଉନ୍ନତିକରଣ ଓ ସ୍ମାର୍ଟପାର୍କ ଭଳି ଅତ୍ୟାଧୁନିକ ପାର୍କ ନିର୍ମାଣ, ବସଟର୍ମିନାଲ ନିର୍ମାଣ ଭଳି ବିକାଶ ପ୍ରକଳ୍ପରେ କଳିକେଶ ଓ ଅନଙ୍ଗଉଦୟ ସିଂହଦେଓଙ୍କ ଭୂମିକା ବିଷୟରେ କହିଥିଲେ । କେବଳ ସେତିକି ନୁହେଁ ମହାରାଜା ପୃଥ୍ୱୀରାଜ ସିଂହଦେଓ, ମହାରାଜା ରାଜେନ୍ଦ୍ରନାରାୟଣ ସିଂହଦେଓଙ୍କ ରାଜତ୍ୱ ତଥା ସ୍ୱାଧିନତା ପୂର୍ବବର୍ତ୍ତୀ ସମୟରେ କରିଥିବା ପୃଥ୍ୱୀରାଜ ହାଇସ୍କୁଲ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, କୋଶଳ କଳାମଣ୍ଡଳ ପଡିଆ ଭଳି ବିକାଶ ପ୍ରକଳ୍ପ ଉପରେ ହିସାବ ଦେଇଥିଲେ । ଆଜି ବହୁବର୍ଷ ପରେ ରାଜପରିବାରର ପୂର୍ବତନମନ୍ତ୍ରୀ ଅନଙ୍ଗଉଦୟ ସିଂହଦେଓ, କଳିକେଶନାରାୟଣ ସିଂହଦେଓ, କଳିକେଶଙ୍କ ପତ୍ନୀ ମେଘନା ସିଂହଦେଓ, ମନ୍ମଥ ବିଜୟ ସିଂହଦେଓ, ଅର୍କେଶନାରାୟଣ ସିଂହଦେଓ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ବଲାଙ୍ଗିର ସହରର ବିଭିନ୍ନ ବର୍ଗଙ୍କୁ ଡାକି ଆଲୋଚନା କରିବା ସହିତ ସେମାନଙ୍କ ପ୍ରସ୍ତାବ ନେଇ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ସକାରାତ୍ମକ ଥିଲା । ବିରୋଧିଦଳଙ୍କ ପ୍ରତି କୌଣସି ଆକ୍ଷେପ ନକରି ନିଜେ କରାଇଥିବା ପ୍ରକଳ୍ପ ବିଷୟରେ ଲୋକଙ୍କୁ ସୂଚନା ଦେଇ ରାଜପରିବାର ପ୍ରକାରାନ୍ତରେ ବିରୋଧିଙ୍କର ବୟାନର ନୀରବ ଉତ୍ତର ରଖିଛନ୍ତି । ସେପଟେ ବଲାଙ୍ଗିର ସହରର ଶତାଧିକ ସଂଗଠନର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ ମତ ଉପସ୍ଥାପନ କରିବା ସହିତ ଏକ ଫର୍ମରେ ସେମାନଙ୍କର ପ୍ରସ୍ତାବକୁ ଉଲ୍ଲେଖ ମଧ୍ୟ କରି ଦେଇଛନ୍ତି । ଯାହାକି ଆଗାମୀ ଦିନରେ ଏକ ସକାରାତ୍ମକ ବିକାଶ ପାଇଁ ପ୍ରସ୍ତାବ ବୋଲି ଆଲୋଚନା ହୋଇଥିଲା । ଆଜି ଲୋକମାନେ ଦେଇଥିବା ପ୍ରସ୍ତାବଗୁଡିକ ମଧ୍ୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ରୋଗୀଙ୍କ ପାଇଁ ଏମ୍‌ଆର୍‌ଆଇ ଲଗାଇବା, ଜଳସେଚନ ପାଇଁ ବ୍ୟାପକ ବ୍ୟବସ୍ଥା କରିବା, ବଲାଙ୍ଗିରରେ କୃଷି ବିଦ୍ୟାଳୟ ସ୍ଥାପନ, ନିଯୁକ୍ତି ଭିତ୍ତିକ କାରଖାନା ସ୍ଥାପନ, କ୍ରୀଡାର ବିକାଶ ପାଇଁ ଅଧିକ ସୁଯୋଗ, ମହିଳାଙ୍କୁ ସ୍ୱାବଲମ୍ବି ହେବାର ସୁଯୋଗ, ବଲାଙ୍ଗିରରେ ହାଇକୋର୍ଟ ସ୍ଥାପନ ଇତ୍ୟାଦି ମୂଳସମସ୍ୟା ବିଷୟରେ ପ୍ରସ୍ତାବ ଆସିଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନୀଳମଣି ମିଶ୍ର , ଇଂ ମଗନ୍ ଲାଲ ଅଗ୍ରୱାଲ, ଅସୀମ ଭୋଇ, ହୃଦୟ ଶବର, ସମ୍ପୂର୍ଣ୍ଣା ଅନୁଷ୍ଠାନର ରଶ୍ମି ପାତ୍ର, ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ, କପିଳେଶ୍ୱର ଖମାରି, ପ୍ରତାପ ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ବଲାଙ୍ଗିର ବିକାଶକୁ ନେଇ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ । ବଲାଙ୍ଗିର ଲୋକଙ୍କ ସହଯୋଗରେ ଲୋକମାନେ ଦେଉଥିବା ପ୍ରତ୍ୟେକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସମାଧାନ କରାଯିବାକୁ ଉଦ୍ୟମ କରାଯିବ ବୋଲି ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂହଦେଓ ଓ କଳିକେଶନାରାୟଣ ସିଂହଦେଓ ପ୍ରତିଶୃତି ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ଠୁ ନେଇ ଯୁବ ଓ ମହିଳା ସଂଗଠକମାନେ ଯୋଗଦେଇଥିଲେ ବଲାଙ୍ଗିରର ବିକାଶ ମୂଳଲକ୍ଷ୍ୟ ହେଉ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

one × 4 =