ଜମି ଜାଲିଆତି ଘଟଣା : ସୁଶିଲ ମିଶ୍ରଙ୍କୁ ଗିରଫ କରୁ ପୋଲିସ ବୋଲି ଦାବୀ କଲେ ପ୍ରଶାନ୍ତ ମିଶ୍ର, ସତ୍ୟର ଜୟ ହେବ ବୋଲି ପ୍ରତିକ୍ରିୟା ରଖିଲେ ସୁଶିଲ ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧୁମାମରା ଜମି ଜାଲିଆତି ଘଟଣା ସାରା ଜିଲ୍ଲାରେ ଚହଳ ପକାଇବା ପରେ ବଲାଙ୍ଗିର ରେଜେଷ୍ଟ୍ରି ଅଫିସ୍‌ର ମାଳ ମାଳ କଳା କାରନାମା ସର୍ବ ସମ୍ମୁଖକୁ ଆସିବାରେ ଲାଗିିଛି । ଜିଲ୍ଲା ପୋଲିସ ପ୍ରଶାସନର ନାକ ତଳେ ବର୍ଷ ବର୍ଷ ଧରି ଚାଲିଥିବା ଏହି କଳା କାରନାମାର ଚେର କାହିଁ ୧୯୯୫ ଦଶକକୁ ଲମ୍ବି ଥିବା ନେଇ ବଲାଙ୍ଗିର ସହରସ୍ତ ଟିକ୍ରାପଡା ମୂଳ ନିବାସୀ ପ୍ରଶାନ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରଦାନ କରିଛନ୍ତି । ତେବେ ଦୁଇଟି ସମାନ ଜମି ଜାଲିଆତି ଘଟଣାରେ ଗୋଟିଏ ପଟେ ଏକ ମାସ ଭିତରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଥିବା ବେଳେ ଅନ୍ୟପଟେ ସୁଶିଲ ମିଶ୍ରଙ୍କ ଜମି ଜାଲିଆତି ଘଟଣାରେ ଅଗ୍ରୀମ ଜାମିନ ନାମଞ୍ଜୁର ହେବା ପରେ ମଧ୍ୟ ଅଭିଯୁକ୍ତ ଖୋଲାଖୋଲି ବୁଲୁଥିବା ଓ ପୋଲିସ ପକ୍ଷରୁ ଘଟଣାର ପ୍ରାଥମିକ ତଦନ୍ତ ମଧ୍ୟ କରାଯାଇ ନଥିବା ଅଭିଯୋଗ କରିଛନ୍ତି ପ୍ରଶାନ୍ତ ମିଶ୍ର ଓ ତାଙ୍କ ପରିବାରର ସଦସ୍ୟମାନେ ସାମ୍ବାଦିକ ସମ୍ମିଳନୀରେ । ଅନ୍ୟପକ୍ଷରେ ନିଜ ପ୍ରତିକ୍ରିୟା ରଖି ସତ୍ୟର ଜୟ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଶିଲ ମିଶ୍ର ।

ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ପ୍ରଶାନ୍ତ ମିଶ୍ର ଓ ତାଙ୍କ ପରିବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ତାଙ୍କ ଟିକ୍ରାପଡା ଘର ଓ ଜମିକୁ ଜାଲିଆତି କରି ସୁଶିଲ ମିଶ୍ର ନିଜ ନାଁରେ କରାଇ ନେଇଥିବା ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ପୋଲିସକୁ ଦୀର୍ଘ ୧୭ ମାସ ତଳେ ଲିଖିତ ଅଭିଯୋଗ କରାଯାଇ ଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏପରିକି ମାନ୍ୟବର ଉଚ୍ଚତମ ନ୍ୟୟାଳୟ ସୁଶିଲ ମିଶ୍ରଙ୍କ ଜାମିନ ନାମଞ୍ଜୁର କରିବା ପରେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରାଯାଇଛି । ସୁଶିଲ ମିଶ୍ରଙ୍କୁ ଏ ସଂପର୍କରେ ପଚାରା ଯିବାରୁ ଏଥିରେ କୌଣସି ଜାଲିଆତି ହୋଇନାହିଁ । ମୋ ପାଖରେ ସମସ୍ତ କାଗଜ ପତ୍ର ମହଜୁଦ ରହିଛି । ଏବେ ଏହି ମାମଲା କୋର୍ଟ ପରିସର ଭୁକ୍ତ ରହିଛି ଓ ସତ୍ୟର ଜୟ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଅଭିଯୋଗ କରାଯାଇଛି ଯେ, ପୂର୍ବତନ ଏସିଏସ୍‌ଓ ଗିରିଶ ମୋହନ ମିଶ୍ର ନିଜ ପତ୍ନୀ ସ୍ୱର୍ଣ୍ଣସୂତା ମିଶ୍ରଙ୍କ ନାଁରେ ଥିବା ଟିକ୍ରାପଡାସ୍ଥିତ ଘରର ରକ୍ଷଣା ବେକ୍ଷଣ ଦାୟିତ୍ୱ ସୁଶିଲ ମିଶ୍ରଙ୍କୁ ଦେଇଥିଲେ । କିନ୍ତୁ ହଠାତ୍‌ କିଛି ବର୍ଷ ପୂର୍ବେ ଉକ୍ତ ଘର ଜମି ସୁଶିଲ ମିଶ୍ର ନିଜ ନାମରେ କରାଇ ନେଇଥିବା ଗିରିଶ ମିଶ୍ରଙ୍କ ପରିବାର ବର୍ଗ ଜାଣିବାକୁ ପାଇଲେ । ବଲାଙ୍ଗିର ତହସିଲ ଆସି କାଗଜ ପତ୍ର ପରଖିବାରୁ ଜାଲିଆତି ହୋଇଥିବା ପରିବାର ସ୍ପଷ୍ଟ ଜାଣିବାକୁ ପାଇଥିଲେ । ଘଟଣା ବିରୋଧରେ ଗିରିଶ ମିଶ୍ରଙ୍କ ପୁତ୍ର ପ୍ରଶାନ୍ତ ମିଶ୍ର ସମସ୍ତ ତଥ୍ୟ ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସୁଶିଲ ମିଶ୍ରଙ୍କ ପ୍ରଭାବ ଯୋଗୁଁ ପୋଲିସ ଏଯାଏଁ ଘଟଣାକୁ ଗୁରୁତ୍ୱ ଦେଉନଥିବା ବେଳେ ଉକ୍ତ ଘଟଣାରେ ସଂଶ୍ଲିଷ୍ଟ ଥିବା ସରକାରୀ କର୍ମଚାରୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲେ ଆହୁରି ଅନେକ ଦୁର୍ନୀତି ସାମ୍ନାକୁ ଆସିବ ବୋଲି ଦାବୀ କରାଯାଇଛି ।

Leave A Reply

Your email address will not be published.

5 × 2 =