ବଲାଙ୍ଗିର ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆ ‘କ୍ଲିନ ଅଫ୍‌ ଅଭିଯାନ’କୁ ନେଇ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆର ପ୍ରବଣତାକୁ ଲକ୍ଷ କରି ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଓଡିଶା ସରକାର)ଙ୍କ ତରଫରୁ ଆଜି ଜିଲ୍ଲା ସହର ମଧ୍ୟରେ ଅବସ୍ଥାପିତ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ଏକ ବୈଠକ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଡେଙ୍ଗୁ ଓ ମ୍ୟାଲେରିଆ ମଶାର ପ୍ରକାରବିଧି, ତାର ପାର୍ଦୁଭାବ, ବ୍ୟାପକତା ଓ ଏହାର ନିରାକରଣ ସମ୍ବନ୍ଧରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ, ସବିଶେଷ ଧାରଣା ଦେଇଥିବା ବେଳେ ଜିଲ୍ଲା ଜାତୀୟ ଜନ ସ୍ୱାସ୍ଥ୍ୟ ବିଭାଗ (ଡିପିଏଚ୍‌ଓ) ଡା. ଦିବ୍ୟ କିଶୋର ପତି ଏହାର ଭିନ୍ନ ଦିଗ ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ସଭିଙ୍କ ମିଳିତ ସହଯୋଗ ଲୋଡ଼ିଥିଲେ । ଜିଲ୍ଲା ଜାତୀୟ ମିଶନ ମେନେଜର (ଡିପିଏମ୍‌) ମୃତୁଞ୍ଜୟ ମୁଣ୍ଡ ଏହି ଚଳିତ ବର୍ଷର ଡେଙ୍ଗୁ ଓ ମ୍ୟାଲେରିଆର ସାମ୍ପ୍ରତିକ ସ୍ଥିତି ଯାହା ପାଞ୍ଚ ଗୋଟି ଡେଙ୍ଗୁ ରୋଗ ପ୍ରଭାବିତ ରୋଗୀ ସେମାନଙ୍କୁ ବଲାଙ୍ଗିର ଜିଲ୍ଲାରେ ବିହିତ ସ୍ୱାସ୍ଥ୍ୟ ସେବା ଦେଇ ଆରୋଗ୍ୟ ଥିବା ବର୍ଣ୍ଣନା କରିଥିବା ବେଳେ ଜିଲ୍ଲାରେ ମ୍ୟାଲେରିଆରେ ଆକ୍ରାନ୍ତ ସଂଖ୍ୟା କ୍ରମଶଃ କମି କମି ଏବେ ପ୍ରାୟତଃ ୫୦ ଶତକଡାକୁ ନିମ୍ନଗାମୀ ହୋଇସାରିଛି ବୋଲି ବର୍ଣ୍ଣନା କରିଥିଲେ ଓ ଏହାପାଇଁ ତଥାପି ସାମୁହିକ ପ୍ରଚେଷ୍ଟା, ପଦକ୍ଷପ ଓ ଜନସଚେତନତାର ଆବଶ୍ୟକ ଅଛି ବୋଲି ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନମାନେ ମତବ୍ୟକ୍ତ କରିଥିଲେ । ଏହାପାଇଁ ଗୋଟିଏ କ୍ରିୟାଶୀଳ ଯୋଜନା (ଏକ୍ସନ ପ୍ଲାନ) ପାଇଁ ସତ୍ୟରଞ୍ଜନ ମିଶ୍ର ପ୍ରସ୍ତାବ ଦେଇଥିବା ବେଳେ ଏହି ଅଭିଯାନକୁ ସହରର ବିଭିନ୍ନ ପ୍ରାନ୍ତରେ ବିଭାଗୀକରଣ କରି ସଚେତନତାମୂଳକ ଅଭିଯାନ ପାଇଁ ବିଭିନ୍ନ ପଥ ପ୍ରାନ୍ତ ନାଟକ, ସଚେତନତା ପତ୍ର ବଣ୍ଟନ ପାଇଁ ସଂଗଠନମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଉପରୋକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପୌରପାଳିକା, ଜିଲ୍ଲା ଶିଶୁମଙ୍ଗଳ, ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଇତ୍ୟାଦିଙ୍କ ସହିତ ସହରାଞ୍ଚଳର ସର୍ବମୋଟ ୨୬ ଗୋଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ନେସନାଲ ପିସ ୟୁନିସନ, ରାଜେନ୍ଦ୍ର ଯୁବକ ସଂଗଠନ, ନାରୀଶକ୍ତି ସଂଗଠନ, କର୍ତବ୍ୟ ଫାଉଣ୍ଡେସନ, ଜିଲ୍ଲା ଚାଇଲଡ୍‌ ସ୍ମାଇଲ, ଜିଲ୍ଲା ଏକ୍ସନ କମିଟି, ମାହେଶ୍ୱରୀ ସଂଗଠନ, ରୋଟାରି ଇଲାଇଟ (ବଲାଙ୍ଗିର ଶାଖା) ମାରୱାଡି ଯୁବମଞ୍ଚ, ସହିଦ ଭକତ ସିଂ କ୍ଲବ, ପେଲେସ ଲାଇନ ସାଂସ୍କୃତିକ ପରିଷଦ ଇତ୍ୟାଦିଙ୍କ କର୍ମକର୍ତ୍ତା ବୈଠକରେ ଯୋଗଦାନ କରି ଆସନ୍ତା ଅଭିଯାନକୁ ସଫଳ କରାଇବାର ପ୍ରସ୍ତାବ ଦେଇଥିଲେ । ବୈଠକ ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲ୍ଲା ମେନେଜର ରାମାନୁଜ ପଣ୍ଡା ସବିଶେଷ ବୈଠକର ସପଫଳତା ପାଇଁ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

12 − eight =