
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ପୁଣି ବଡ଼ ସଫଳତା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଳପାଲି ଛକ ପାଖରେ ବିନିକା ପୋଲିସ ଗଞ୍ଜେଇ ଧରିବାରେ ସଫଳ ହୋଇଛି । କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସଜାଗ ହୋଇଯାଇଥିଲା ବିନିକା ପୋଲିସ । ବୌଦ୍ଧ ଜିଲ୍ଲା ପଟରୁ ବିନିକା ଦେଇ ବରଗଡ ଜିଲ୍ଲା ପଟକୁ ଗୋଟିଏ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଉ ଗୋଟିଏ କ୍ରେଟା ଗାଡି ତାକୁ ପାଇଲଟିଂ କରୁଥିଲା । ବିନିକା ଥାନା ଅନ୍ତର୍ଗତ ବିଶାଳପାଲି ଛକ ପାଖରେ ଉଭୟ ଗାଡିକୁ ଧରିବାରେ ବିନିକା ପୋଲିସ ସଫଳ ହୋଇଥିଲା ପରେ ଏସପି ମଧ୍ୟ ନିଜେ ଘଟଣା ସ୍ଥଳକୁ ପହଞ୍ଚିଥିବା ସୂଚନା ମିଳିଛି । ଗାଡିରେ ଥିବା ଗଞ୍ଜେଇକୁ ମାଜିଷ୍ଟ୍ରେଟ ତଥା ବିନିକା ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ୧ କ୍ଵିଣ୍ଟାଲ ୫୨ କେଜି ଗଞ୍ଜେଇକୁ ଜବତ କରିଥିଲା ପୋଲିସ । ଉଭୟ ଗାଡିରେ ଥିବା ଚାରି ଜଣ ଯୁବକକୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।