
ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ପଞ୍ଚାୟତ ଅନ୍ତର୍ଗତ ସଦର ଧାତୁକ ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ଜଣ ଦୀର୍ଘ ସମୟ ଧରି ଅଚେତ ଅବସ୍ଥାରେ ପଡ଼ି ରହିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୨ଟା ସମୟରେ ମଙ୍ଗଲୁ ବାଗ (୫୮), ତାଙ୍କ ପୁଅ ସୁନୀଲ ବାଗ ଏବଂ ବିପିନ ଛତର ବିଲରେ କଟାଯାଇଥିବା ଧାନ ରଖିଥିଲେ । ଏହି ସମୟରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ପବନ ସହ ଘଡଘଡ଼ି ଏବଂ ବର୍ଷା ଆରମ୍ଭ ହୋଇଥିଲା । ଧାନକୁ ବର୍ଷା ଓ ପବନରୁ ସୁରକ୍ଷା କରିବା ପାଇଁ ସେମାନେ ତ୍ରିପାଳ ଓ ଜରି ଦ୍ୱାରା ଢାଙ୍କିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ପ୍ରଚଣ୍ଡ ବଜ୍ରାଘାତ ହୋଇଥିଲା । ବଜ୍ରାଘାତ ଏତେ ଭୟଙ୍କର ଥିଲା ଯେ, ତିନିଜଣ ଯାକ ଘଟଣାସ୍ଥଳରେ ଟଳିପଡ଼ିଥିଲେ । ସେଥିରେ ମଙ୍ଗଲୁ ବାଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ତାଙ୍କ ପୁଅ ସୁନୀଲ ବାଗ ଓ ବିପିନ ଛତର ପ୍ରାୟ ଦୁଇରୁ ତିନି ଘଣ୍ଟା ଧରି ଅଚେତ ଅବସ୍ଥାରେ ପଡ଼ିରହିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ପାଟଣାଗଡ଼ ପୋଲିସକୁ ସୂଚନା ଦେଇଥିଲେ । ଶୁକ୍ରବାର ସକାଳେ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି । ମୃତକ ମଙ୍ଗଲୁ ବାଗ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଶୀଘ୍ର ପ୍ରଦାନ କରିବା ପାଇଁ ଧାତୁକ ସରପଞ୍ଚ ତୁଳସୀରାମ ଠାକୁର, କୃଷକ ନେତା ଯତି ପଧାନ ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ଦୁର୍ଘଟଣା ପୁଣିଥରେ ପ୍ରମାଣ କରିଦେଇଛି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାବଧାନତା ଅବଲମ୍ବନ କେତେ ଆବଶ୍ୟକ ।