pakka

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମହିଳା ହକି ପ୍ରତିଯୋଗିତା ଉଦ୍‌ଘାଟିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱର ସମେତ ରାଉରକେଲା ସହରରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଜାରି ରହିଛି ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହକି ଖେଳର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହିଳା ହକି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି । ଏଥି ସହିତ ଦସ୍ତଖତ ଅଭିଯାନ ଓ ଗଣପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗଦେଇ କହିଥିଲେ ଯେ, ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଦ୍ୱିତୀୟ ଥର ପାଇଁ ବିଶ୍ୱ ହକି ପ୍ରତିଯୋଗିତା ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନରେ, ବିଶ୍ୱ କପ୍‌ ହକି ମାନଚିତ୍ରରେ, ଓଡିଶା ଆଜି ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସୁନ୍ଦରଗଡ ହକିର ଜନ୍ମକ୍ଷେତ୍ର । ଏହା ସହ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ଅଂଚଳରେ ହକିକୁ ଏକ ଗଣଖେଳ ଭାବେ ସାଧାରଣ ଲୋକ ଉପଭୋଗ କରନ୍ତି । ଏ ପ୍ରକାର ମନୋଭାବକୁ ରାଜ୍ୟବ୍ୟାପୀ ଜନପ୍ରିୟ କରାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ହକି ପ୍ରୋତ୍ସାହନର କେନ୍ଦ୍ର ହେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଉଚ୍ଚଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଖେଳ ନୀତି ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ । ରାଜ୍ୟ ଗୃହ ତଥା କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ହକି କ୍ରୀଡ଼ା ବିକାଶ ତଥା ବିଶ୍ୱକପ୍‌ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କ୍ରୀଡ଼ା ବିଭାଗ ତରଫରୁ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ହକି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଥିଲେ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡ଼ିୟମର ଭିତ୍ତିଭୂମିର ବିକାଶ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠି ରାଜ୍ୟର ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ତଥା ଅନ୍ତର୍ନିହିତ ଜ୍ଞାନକୌଶଳର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ଚେଷ୍ଟିତ ବୋଲି କହିଥିଲେ । ଖେଳ ଦ୍ୱାରା ଯୁବ ସମାଜ ଭ୍ରଷ୍ଟ ନହୋଇ ଗଠନମୂଳକ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବେ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଶ୍ୱକପ ଯୋଗୁ ଆଜି ରାଜ୍ୟରେ ପରିବେଶ ବଦଳି ଯାଇଛି ଓ ଏହା ଜୀବନ୍ତ ହୋଇପାରିଛି । ଓଡିଶାକୁ ବିଶ୍ୱ ହକି କପ୍‌ ଆୟୋଜନ କରିବାର ସୌଭାଗ୍ୟ ଦୁଇଥର ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେ ମତପ୍ରକାଶ କରିଥିଲେ । ସଭାରେ କୁଳପତି ଅପରାଜିତା ଚୌଧୁରୀ ଅଧ୍ୟକ୍ଷତା କରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ରାଜ୍ୟସରକାର ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ସୁଯୋଗ ଦେଇଥିବାରୁ ଉଭୟ ମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଦେଇଥିଲେ । ଏହାପରେ ଅତିଥି ଓ ଅନ୍ୟମାନେ ଦସ୍ତଖତ ଅଭିଯାନରେ ଭାଗନେଇ ନିଜସ୍ୱ ଦସ୍ତଖତ କରିଥିଲେ । ସମସ୍ତ ଅତିଥିଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପ୍ରତିଯୋଗୀ ତଥା ଛାତ୍ରୀମାନେ ବିଶ୍ୱବିଦ୍ୟାଳୟରୁ ପଦଯାତ୍ରା ଆରମ୍ଭ କରି ବାଣୀବିହାର ଦେଇ ପୁଣି ପ୍ରତ୍ୟାବିର୍ତ୍ତନ କରିଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୁଳ ସଚିବ ଶ୍ୟାମଳୀ ମହାପାତ୍ର, ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ର. ଚଣ୍ଡୀ ଚରଣ ରଥ, ଜ୍ୟୋର୍ତିମୟୀ ଆଚାର୍ଯ୍ୟ, ଇତିଶ୍ରୀ ଷଡ଼ଙ୍ଗୀ, ଡ଼ ମାନସ ବେହେରା, ପ୍ରକାଶ ପରିଚ, ନବନୀତ କାଉର, ଦିଲ୍ଲୀପ ବିଶି, ନରସିଂହ ମାଝୀ, ସସ୍ମିତା କର, ସଂଘମିତ୍ରା ଭଞ୍ଜ, ପ୍ରଦୀପ ଦଳେଇ, ସରିତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସିଣ୍ଡିକେଟ ସଭ୍ୟ ଡ଼.କଳ୍ପନା ଦାସ, ଶୈଳବାଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗାୟତ୍ରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସର୍ବଶେଷରେ ଚକ ଦେ ଇଣ୍ଡିଆ ସିନେମା ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.

3 + 18 =