ଟଙ୍କା ପାଇଁ ନିଜ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବାପାଙ୍କ ପେନ୍‌ସନ୍‌ ଟଙ୍କା ପାଇଁ ନିଜ ବଡ଼ ଭାଇକୁ ପିଟିପିଟି ମାରି ଦେଲା ସାନ ଭାଇ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ର ହାଟପଦାପଡ଼ା ଗୋରୁବଜାରରେ । ମୃତ ବ୍ୟକ୍ତି ଜଣକ ସଞ୍ଜୟ ବେହେରା ବୋଲି ଜଣାପଡି ଥିବା ବେଳେ ପୁଲିସ ତାଙ୍କ ସାନ ଭାଇ ପ୍ରମୋଦ ବେହେରାଙ୍କୁ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ, ସଞ୍ଜୟ ଓ ପ୍ରମୋଦଙ୍କ ବାପା ସରକାରୀ ଚାକିରି କରୁଥିଲେ । ତାଙ୍କର ମୃତ୍ୟୁ ପରେ ପରିବାରକୁ ମିଳିବାକୁ ଥିବା ଟଙ୍କାକୁ ନେଇ ସଞ୍ଜୟ ଓ ପ୍ରମୋଦଙ୍କ ମଧ୍ୟରେ ସବୁସମୟରେ ଝଗଡ଼ା ହେଉଥିଲା । ତେବେ ଏହି କାରଣକୁ କେନ୍ଦ୍ର କରି ପ୍ରମୋଦ ପିଟି ପିଟି ନିଜ ବଡ଼ ଭାଇ ସଞ୍ଜୟଙ୍କୁ ମାରି ଜଙ୍ଗଲରେ ପୋତି ଦେଇଥିବା ବେଳେ ଅକ୍ଟୋବର ୪ ତାରିଖରୁ ସଞ୍ଜୟ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରିଥିବା ବେଳେ ସନ୍ଦେହରେ ପୁଲିସ୍ ପ୍ରମୋଦଙ୍କୁ ପଚରାଉଚରା କରିବା ପରେ ପୁରା ଘଟଣା ସାମ୍ନାକୁ ଆସି ସଞ୍ଜୟଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା କଥା ପ୍ରମୋଦ ପୁଲିସ ସାମ୍ନାରେ ସ୍ୱିକାର କରିଥିଲା । ତେବେ ପୁଲିସ ଆଜି ପ୍ରମୋଦଙ୍କୁ ଘଟଣାସ୍ଥଳକୁ ନେଇ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଏହି ଘଟଣାରେ ପୁଲିସ ପ୍ରମୋଦଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

19 + twelve =