ରାଉରକେଲା : ରାଉରକେଲାର ବନ୍ଧମୁଣ୍ଡା ଶୀତଳନଗର ଅଂଚଳରେ ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ମିଳିଛି । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ମୃତ ମହିଳାଙ୍କ ପୁଅ ଆସି ଦେଖିଲା ବେଳକୁ ମହିଳା ଖଟିଆରେ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏହାପରେ ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ହସ୍ପିଟାଲ ମର୍ଗରେ ରଖାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ । ମୃତକ ହେଉଛନ୍ତି ବରକାନି ଗାଁର ଅନିତା ଏକ୍କା । ସେ ଗତ କିଛିବର୍ଷ ଧରି ଶୀତଳନଗରରେ ରହି ଜଳଖିଆ ଦୋକାନ ଚଳାଉଥିଲେ । ମୃତଙ୍କ ମୁହଁରେ ଗଭୀର ମାଡର ଚିହ୍ନ ଥିବାରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଆକ୍ରୋଶ ଓ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଅଂଚଳବାସୀ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ମତ ଦେଇଛନ୍ତି ।
Next Post