ହାତୀସ୍କ୍ୱାର୍ଡଙ୍କ ଅବହେଳା ଯୋଗୁଁ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜରେ ଗତ କିଛିଦିନ ହେଲା ଅହେତୁକ ଭାବେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ହାତୀଙ୍କ ପ୍ରାଦୁର୍ଭାବ ସୀମା ଲଙ୍ଘନ କରିଛି । ହାତୀପଲଙ୍କ ଗତିବିଧି ବାବଦରେ ନିରନ୍ତର ବନପାଳ ଓ ବନରକ୍ଷୀଙ୍କୁ ସୂଚନା ଦେବା ସହିତ ଜନବସତି ନିକଟରୁ ସେମାନଙ୍କୁ ଘଉଡାଇବା ଦିଗରେ ହାତୀ ସ୍କ୍ୱାର୍ଡ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ହାତୀ ସ୍କ୍ୱାର୍ଡର କିଛି ସଦସ୍ୟ ଠିକ ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରୁନଥିବା ଅଭିଯୋଗ ହେଉଛି । ସେମାନଙ୍କ ଅବହେଳା ଯୋଗୁଁ ଗତ ୨୦ ଦିନ ମଧ୍ୟରେ ଲୋଇସିଂହା ଫରେଷ୍ଟ ରେଞ୍ଜରେ ପ୍ରାୟ ୧୯୦ ଲୋକଙ୍କ ଦୁଇ ଶହରୁ ଅଧିକ ଏକର ଜମିର ଧାନ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି । ଏଥି ସହିତ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ମଧ୍ୟ ହୋଇଥିବା ଜଣାଯାଇଛି । ଫସଲ ତଥା ଧନଜୀବନ ହାନୀ ପାଇଁ ପ୍ରକାରାନ୍ତରେ ହାତୀସ୍କ୍ୱାର୍ଡ ସଦସ୍ୟଙ୍କ ଅବହେଳାକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି । ସ୍କ୍ୱାର୍ଡର କିଛି ସଦସ୍ୟ ସରକାରୀ “କେମ୍ପର” (ହାତୀ ଘଉଡାଇବା ପାଇଁ ଉଦ୍ଦିଷ୍ଟ ସରକାରୀ ଗାଡି) ଗାଡ଼ିରେ ମଦ ପିଇବା ପାଇଁ ମଦଭାଟି ନିକଟକୁ ଚାଲି ଯାଉଥିବା ଅଭିଯୋଗ ହେଉଛି । ଏପରିକି କିଛି ସଦସ୍ୟ ବିଭାଗୀୟ ଅଧିକାରୀଙ୍କ ବିନା ଅନୁମତିରେ ମନଇଚ୍ଛା ଡ୍ୟୁଟି କରିବା ସହିତ ବ୍ୟକ୍ତିଗତ କାମ ପାଇଁ ଚାଲି ଯାଉଥିବା ଅଭିଯୋଗ ହେଉଛି । ହାତୀସ୍କ୍ୱାର୍ଡର କେତେକ ସଦସ୍ୟ ବନବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସମ୍ପର୍କୀୟ ହୋଇଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଭାଗ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.

one × 5 =