ଚରମ ଅବ୍ୟବସ୍ଥା ମଧ୍ୟରେ ଶେଷ ହେଲା ହରିଶଙ୍କର ମହୋତ୍ସବ : ସାଧାରଣରେ ଆଲୋଚନା

  • ପ୍ରଶାସନର ଦାୟିତ୍ୱ ହୀନତା ପାଇଁ ହନ୍ତସନ୍ତ ହେଲେ ହଜାର ହଜାର ଶ୍ରଦ୍ଧାଳୁ : ଜନସାଧାରଣରେ ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ନିକଟରେ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରଠାରେ ହୋଇଥିବା ନୃସିଂହ ଚତୁର୍ଦ୍ଦଶୀ ମହୋତ୍ସବ ଚରମ ଅବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ପ୍ରଶାସନ ତଥା ଆୟୋଜକ କମିଟିର ବିଫଳତାକୁ ନେଇ ସୋସିଆଲ ମିଡିଆରେ ଖବର ଘୁରି ବୁଲୁଥିବା ବେଳେ ପ୍ରିଣ୍ଟ ମିଡିଆରେ ମଧ୍ୟ ଏହା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲଠାରୁ ମାତ୍ର ୧୩ କିଲୋମିଟର ଦୂରରେ ଥିବା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିରର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଏହି ମନ୍ଦିରକୁ ଦର୍ଶନ କରିବାକୁ ଆସିଥାନ୍ତି । ଶହ ଶହ ବର୍ଷ ଧରି ବୈଶାଖ ମାସରେ ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ମହୋତ୍ସବ ପାଳନ କରାଯାଇ ଆସୁଛି । କିଛି ବର୍ଷ ପୂର୍ବେ ମନ୍ଦିରର ପରିଚାଳନା ତଥା ଏହାର ଉନ୍ନୟନ କାର୍ଯ୍ୟ ପାଇଁ ଗୋଟିଏ କମିଟି ଗଠନ କରଯାଇଛି । ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ଏହି କମିଟିର ସଦସ୍ୟ ବଛା ହୋଇଥାଏ କମିଟିରେ ଥିବା ପୁରୁଣା ସଦସ୍ୟ ହିଁ ପୁଣି ଆଉ ଥରେ ପଦ ପଦବୀରେ ରହିଥାନ୍ତି । ଏମିତି ବର୍ଷ ବର୍ଷ ଧରି ସେମାନେ ହିଁ ମନ୍ଦିର କମିଟିରେ ଆଡ୍ଡା ଜମେଇବା ସହ ଏହି ବିଭାଗର ମୁଖ୍ୟ ପଦଧାରୀ ନିଜକୁ ମନ୍ଦିରର ସର୍ବେସର୍ବା ଭାବି ଶ୍ରଦ୍ଧାଳୁମାନଙ୍କ ଅସୁବିଧାକୁ ଏଡେଇ ଦେଉଛନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଚଳିତ ବର୍ଷ ମେ’ ମାସ ୧ ତାରିଖରୁ ବୈଶାଖ ଚତୁର୍ଦ୍ଦଶୀ ମହୋତ୍ସବ ଚାଲିଥିଲା । ଏହି ମହୋତ୍ସବ ଆଗରୁ ତିନି ଦିନ ପର୍ଯ୍ୟନ୍ତ ହେଉଥିବା ବେଳେ ଚଳିତ ବର୍ଷ ପାଞ୍ଚ ଦିନ ଚାଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋତ୍ସବକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା । ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ମତ ପ୍ରକାଶ ପାଉଛି । ଶ୍ରଦ୍ଧାଳୁମାନେ ଗାଡି ପାର୍କିଙ୍ଗ ସ୍ଥାନଠାରୁ ପାଖାପାଖି ୩ କିଲୋମିଟର ମନ୍ଦିର ପର୍ଯ୍ୟନ୍ତ ଖରାରେ ଯିବା ଆସିବା କରିବାକୁ ପଡୁଥିଲା ଏହା ସହିତ ବିଶ୍ରାମ କରିବା କିମ୍ବା ବସିବା ପାଇଁ କୌଣସି ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇ ନଥିଲା ଫଳରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲେ ମଧ୍ୟ ଅସ୍ଥାୟୀ ଶୌଚାଳୟ ନିର୍ମାଣ ହୋଇନଥିଲା ଏପରିକି କି ମହିଳାମାନଙ୍କ ପାଇଁ ପରିସ୍ରାଗାରର ବ୍ୟବସ୍ଥା ମଧ୍ୟ ହୋଇ ନଥିଲା । ବୃଦ୍ଧବୃଦ୍ଧା ଏବଂ ବିକଳାଙ୍ଗମାନେ ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ କାଠିକର ପାଠ ହୋଇପଡ଼ିଥିଲା ବୋଲି ମତ ପ୍ରକାଶ ପାିଛି । ମହୋତ୍ସବରେ ଦୁଇ ପଇସା ରୋଜଗାର ପାଇଁ ଛୋଟ ଛୋଟ ବ୍ୟବସାୟୀମାନଙ୍କଠାରୁ ୨ ହଜାର ଟଙ୍କାରୁ ୨୫ ଶହ ଟଙ୍କା ଲେଖାଏଁ ଦେବୋତ୍ତର ବିଭାଗ ତରଫରୁ ଟିକସ ଆଦାୟ କରୁଥିବା ବେଳେ ବିଜୁଳି ପାଇଁ ମଧ୍ୟ ତିନିଶହ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । ଅନେକ ଗରିବ ବ୍ୟବସାୟୀ ଧାର୍ଯ୍ୟ ଟିକସ ଦେଇ ନପାରିବାରୁ ମହୋତ୍ସବରେ ଦୋକାନ ନଖୋଲି ଫେରିଯାଇଥିଲେ ବୋଲି ଖବର ମିଳିଛି । କିଛି ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ମହୋତ୍ସବ ପାଇଁ ଏତେ ଟଙ୍କା ଆଦାୟ କରାଯାଉଛି କିନ୍ତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏମିତି କି ହରିଶଙ୍କର ମନ୍ଦିର ପାହାଡ଼ ତଳ ଚାରିପଟେ ଜଙ୍ଗଲ ମଝିରେ ଚିଡ଼ିଆଖାନା ଅଛି ତଥାପି ଦେବୋତ୍ତର ବିଭାଗ ଯେତେବେଳେ ହରିଶଙ୍କର ମହୋତ୍ସବ ପାଇଁ ବୈଠକ ଡାକିଲେ ହରିଶଙ୍କର ବନବିଭାଗକୁ ଡାକି ତାଙ୍କର ପ୍ରତିକିୟା ନେବାକୁ ମଧ୍ୟ ଚାହିଁ ନଥିଲେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଲକ୍ଷ ଲକ୍ଷ ଟଙ୍କା ହରିଶଙ୍କର ମହୋତ୍ସବରେ ଆଦାୟ ହୋଇଥିବା ବେଳେ ମହୋତ୍ସବ ସରିଲା ପରେ ସଂଗଠନମାନେ ମହୋତ୍ସବର ଅଳିଆ ଆବର୍ଜନା ସଫା କରୁଥିବା ଧର୍ମକୁ ଆଖି ଠାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ହରିଶଙ୍କର ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହୋଇଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହି ମହୋତ୍ସବ ଧୀରେ ଧୀରେ ଫିକା ପଡିବାରେ ଲାଗିଛି ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଏହି ଅବ୍ୟବସ୍ଥା ପାଇଁ ପର୍ଯ୍ୟଟକ ମାନେ ଉକ୍ତ ମହୋତ୍ସବକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁ ନଥିବା ଆଲୋଚନା ହେଉଛି । ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ମହୋତ୍ସବରେ ସୁଧାର ଆଣିବା ସହିତ ଏହାକୁ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.

20 + two =