
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡିରେ ଭୟାବହ ସଡ଼କ ଦୁର୍ଘଟଣା । ଜଣେ ମୃତ, ଜଣେ ଗୁରୁତର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଉତ୍କେଲା-କୋକୋଡମାଲ୍ ପିଡବ୍ଲ୍ୟୁଡି ରାସ୍ତାରେ ଅବସ୍ଥିତ ମେର୍ସି ଇଂରାଜୀ ବିଦ୍ୟାଳୟ ସମ୍ମୁଖରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଲ ଛୁଟି ପରେ ପିଲାମାନଙ୍କୁ ନେଇ ସ୍କୁଲ ଭ୍ୟାନ୍ ମୁଖ୍ୟ ରାସ୍ତାକୁ ଉଠୁଥିବା ବେଳେ କୋକୋଡମାଲ୍ ପଟରୁ ଉତ୍କେଲା ଅଭିମୁଖେ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କୋକୋଡମାଲ୍ କନ୍ଧେଇମାଲ୍ ଗ୍ରାମର ଆକାଶ ଜାଲ (୧୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବଡ଼ ଭାଇ ପଙ୍କଜ ଜାଲ (୨୩) ଗୁରୁତର ଆହତ ହୋଇଛନ୍ତି । ଉଭୟେ ଗୋଟିଏ ପରିବାରର ଦୁଇ ଭାଇ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିବା ବେଳେ ପଙ୍କଜଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ସ୍କୁଲ ଭ୍ୟାନ୍ରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଥିଲେ । ସୌଭାଗ୍ୟବଶତଃ ସମସ୍ତ ପିଲା ସୁରକ୍ଷିତ ରହିଛନ୍ତି । ଘଟଣା ପରେ ସ୍କୁଲ ଭ୍ୟାନ୍ର ଚାଳକ ଫେରାର ହୋଇଯାଇଥିବା ବେଳେ କ୍ଷତିପୂରଣ ଦାବିରେ କୋକୋଡମାଲ୍ ଗ୍ରାମବାସୀ ମେର୍ସି ସ୍କୁଲ ସମ୍ମୁଖରେ ପ୍ରତିବାଦ କରୁଛନ୍ତି । ବର୍ତ୍ତମାନ କେସିଙ୍ଗା ଓ ଭବାନୀପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
