csstore

ମଧ୍ୟାହ୍ନ ଭୋଜନ ବର୍ଜନ କଲେ ଛାତ୍ରଛାତ୍ରୀ : ଶିକ୍ଷକ ନିଯୁକ୍ତି ଦାବିରେ ତୀବ୍ର ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିରେ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିଛନ୍ତି । ଛାତ୍ରଛାତ୍ରୀମାନେ ନିଜ ନିଜ ଘରୁ ଖାଦ୍ୟ ଆଣି ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ସମୟରେ ତାହା ଗ୍ରହଣ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ସରକାରୀ ଭୋଜନ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇଥିଲେ । ଛାତ୍ରଛାତ୍ରୀମାନେ ଆହୁରି କହିଥିଲେ ଯେ, ଯଦି ତୁରନ୍ତ ଶିକ୍ଷକ ନିଯୁକ୍ତି କରାଯାଇନଥାଏ, ତେବେ ଆଗାମୀ ଦିନରେ ସରକାର ପ୍ରଦାନ କରିଥିବା ଡ୍ରେସ ଓ ପାଠ୍ୟପୁସ୍ତକ ମଧ୍ୟ ଫେରାଇ ଦେବେ । ଅନ୍ୟପକ୍ଷରେ, ଆସନ୍ତା ଜୁଲାଇ ୧ ତାରିଖରୁ ଅଭିଭାବକମାନେ ଏହି ସମାନ ଦାବି ନେଇ ଗଣଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ କହିଛନ୍ତି, “ଯେତେବେଳେ ଆମ ଅଭିଭାବକମାନେ ଆମ ଭବିଷ୍ୟତ ପାଇଁ ଲଢ଼େଇ କରୁଛନ୍ତି, ସେତେବେଳେ ଆମେ ମଧ୍ୟ ସେମାନଙ୍କ ସହ ରହିବୁ ଏବଂ ନିଜ ଉପାୟରେ ଆନ୍ଦୋଳନ ଜାରି ରଖିବୁ ।” ଏଠାରେ ସୂଚନାଯୋଗ୍ୟ ଯେ, ୧୯୯୧ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ଜଣେ ହେଲେ ମଧ୍ୟ ନିୟମିତ ଶିକ୍ଷକ ନାହାନ୍ତି । କେବଳ ଜଣେ ଶିକ୍ଷକ ଡେପୁଟେସନ୍‌ରେ ରହି ବିଦ୍ୟାଳୟର ସମସ୍ତ ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟ ପରିଚାଳନା କରୁଛନ୍ତି । ଫଳରେ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ପଡ଼ିଛି । ‘ବିକଶିତ ଓଡ଼ିଶା’ର ନାରା ଦେଉଥିବା ସରକାରଙ୍କ ଏପରି ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି । “ବିକାଶର ଧାରା ଓଡ଼ିଶା ସାରା” ବୋଲି ସରକାର ଦାବି କରୁଥିବା ବେଳେ ଆମ ପଞ୍ଚାୟତକୁ ସେହି ବିକାଶର ଧାରା କାହିଁକି ପହଞ୍ଚିପାରୁ ନାହିଁ ବୋଲି ପଞ୍ଚାୟତବାସୀ ପ୍ରଶ୍ନ ଉଠାଇଛନ୍ତି । ଅଞ୍ଚଳବାସୀ ଓ ଅଭିଭାବକମାନେ ଅବିଳମ୍ବେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ନିୟମିତ ଶିକ୍ଷକ ନିଯୁକ୍ତି କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

jayashree
Leave A Reply

Your email address will not be published.