
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍, ପର୍ଲା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ପର୍ଲା ଗ୍ରାମର ରାଜାରାମ ବାଗଙ୍କ ନାବାଳକ ପୁଅ ମହାବୀର ବାଗ ୧୩ ଏବଂ ସରୋଜ ସୁନାନୀଙ୍କ ନାବାଳକ ପୁଅ ରୋହିତ ସୁନାନୀ ୧୪, ସାଙ୍ଗମାନଙ୍କ ସହିତ ଗାଁ ନିକଟସ୍ଥ ମୁଟୁରା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ମହାବୀର ପାଣିରେ ବୁଡ଼ି ଯାଇଥିଲେ । ରୋହିତଙ୍କୁ ବୁଡିଯିବା ପୂର୍ବରୁ ମରଣ ମୁଖରୁ ଉଦ୍ଧାର କରାଯାଇଥିଲା । ଏ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପୁଲିସ ଏବଂ ଦମକଳ ବାହୀନି ପହଞ୍ଚି ରୋହିତଙ୍କୁ ଉଦ୍ଧାର କରିଥିଲେ । ସେଭଳି ପାଣିରେ ବୁଡି ଯାଇଥିବା ମହାବୀରର ମୃତ ଦେହକୁ ଉଦ୍ଧାର କରିଥଲେ । ରୋହିତଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ମହାବୀରଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି ।