ବଲାଙ୍ଗିରର ଲଭ୍‌ କ୍ୟୁଜିନ୍‌ କାଫେରେ ୬ ରାଉଣ୍ଡ ଗୁଳିମାଡ଼ କଲେ ଦୃର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହୋଟେଲ ଭିତରେ ପଶି ଗୁଳିମାଡ଼ । ଏପରିକି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୬ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୃର୍ବୃତ୍ତ । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବଲାଙ୍ଗିର ପାଖ ଗଇଁତଲା ଛକରେ ଥିବା ଲଭ୍‌ କ୍ୟୁଜିନ୍‌ କାଫେ ହୋଟେଲ୍‌ରେ । ସୂଚନା ଅନୁସାରେ ଏବେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍‌ ଅଛନ୍ତି । ପୋଲିସ ତନାଘନା ତଦନ୍ତ ଚଳାଇଛି । ହୋଟେଲ୍‌ ମାଲିକ ସଂଜୀବ ନନ୍ଦ କହିଛନ୍ତି ଯେ, ସେ ଓ ତାଙ୍କ ସାଂଗ ବିବେକାନନ୍ଦ ପତି ମିଶି ବର୍ଷେ ପୂର୍ବରୁ ଲଭ୍‌ କ୍ୟୁଜିନ୍‌ କାଫେ ହୋଟେଲ୍‌ ଆରମ୍ଭ କରିଥିଲେ । ନୂଆଁଖାଇ ପାଇଁ ଆଜି ହୋଟେଲ ବନ୍ଦ ଥିବା ବେଳେ ସମସ୍ତ ଷ୍ଟାଫ୍‌ ଛୁଟିରେ ଯାଇଛନ୍ତି । କେବଳ ଦୁଇଜଣ ଷ୍ଟାଫ୍‌ ହୋଟେଲ୍‌ରେ ଥିଲେ । ଆଜି ଅପରାହ୍ନ ସମୟରେ ତାଙ୍କ ସାଂଗ ପାଖରେ ଆଗରୁ ଡ୍ରାଇଭର୍‌ ଭାବେ କାମ କରୁଥିବା ରାଜୁ ମାଝୀ ନାମକ ଜଣେ ଯୁବକଙ୍କ ସହ ଆଉ ଦୁଇଜଣ ଯୁବକ ନିଶାସକ୍ତ ଅବସ୍ଥାରେ ହଠାତ୍‌ ବନ୍ଧୁକ ଧରି ହୋଟେଲ୍‌ ଭିତରକୁ ପଶି ଆସିଥିଲେ ଓ ତାଙ୍କୁ ଖୋଜିଥିଲେ । ହୋଟେଲ୍‌ର ପ୍ରାୟ ୨୫ ଲକ୍ଷ ଟଙ୍କାର ଟିଭି, ଫ୍ରିଜ୍‌, ସିସିଟିଭି କ୍ୟାମେରା, ଲାପ୍‌ଟପ୍‌, ହୋଟେଲ୍‌ ଭିତରେ ଲାଗିଥିବା କାଚ ଆଦି ସାମଗ୍ରୀ ଭାଂଗି ସେମାନେ ନଷ୍ଟ କରି ଦେଇଥିଲେ । ହୋଟେଲ୍‌ରେ ଥିବା ଆଠ ଦଶ ହଜାର ଟଙ୍କା ମଧ୍ୟ ସେମାନେ ନେଇଯାଇଛନ୍ତି । ଏତିକି ବେଳେ ମୋ’ ଜୀବନ ପ୍ରତି ବିପଦ ଥିବା ଜାଣି ମୁଁ ହୋଟେଲ ପଛପଟୁ ଘଟଣାସ୍ଥଳରୁ ଚାଲିଯାଇଥିଲି ଓ ପୁଇଁତଲା ପୋଲିସକୁ ସୂଚନା ଦେଇଥିଲି । ପୁଇଁତଲା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ବି ହୋଟେଲ୍‌ ଭିତରକୁ ପଶିବାକୁ ଦେଇନଥିଲେ ଦୁର୍ବୃତ୍ତମାନେ । ପୋଲିସକୁ ମଧ୍ୟ ସେମାନେ ବନ୍ଧୁକ ଦେଖାଇଥିଲେ । ଏହାରି ଭିତରେ ପାଖାପାଖି ୬ରୁ ୯ ରାଉଣ୍ଡ ଫାଙ୍କା ଗୁଳିଚଳନା କରିଥିଲେ ସେମାନେ । ତେବେ କଳେ ବଳେ କଉଶଳେ ପୋଲିସ ଫୋର୍ସ ଆସିବା ପରେ ଜଣେ ଦୃର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଘଟଣା ସ୍ଥଳରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ପହଞ୍ଚି ତଦନ୍ତ କରିଥିଲେ । ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ସେପଟେ ଘଟଣାରେ ସଂପୃକ୍ତ ଅନ୍ୟ ଦୁଇଜଣ ଫେରାର ଅଛନ୍ତି । ଏନେଇ ପୋଲିସ୍‌ର ଏକ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.