ଗ୍ରାମାଞ୍ଚଳରେ ସାଢେ ୯ ଲକ୍ଷ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନ କରାଯିବ

  • ଆସନ୍ତା ଜାନୁଆରୀ ସୁଦ୍ଧା କାର୍ଯ୍ୟାଦେଶ ପ୍ରଦାନ ଏବଂ ଜୁନ ସୁଦ୍ଧା ଗୃହ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ନିମନ୍ତେ ଜାରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଜୁନ ମାସ ସୁଦ୍ଧା ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢେ ୯ ଲକ୍ଷ ଗୃହ ନିର୍ମାଣ କରାଯିବ । ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଯୋଗ୍ୟ ହିତାଧିକାରୀ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏଥି ନିମନ୍ତେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ହିତାଧିକାରୀଙ୍କ ତାଲିକାକୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ୧୦ ଦିନ ପାଇଁ ପ୍ରଦର୍ଶନ କରାଯିବ । ଏହି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିଲେ ଏ ବାବଦରେ ଆପତ୍ତି ଅଭିଯୋଗ ପଞ୍ଚାୟତ ଅଥବା ବ୍ଲକ କାର୍ଯ୍ୟାଳୟରେ ରଖାଯାଇଥିବା ଉଦ୍ଦିଷ୍ଟ ବାକ୍ସରେ ପକାଇପାରିବେ । ଏତଦ୍‌ ବ୍ୟତୀତ ରାଜ୍ୟର ଟୋଲ ଫ୍ରୀ ନମ୍ବର ୧୮୦୦-୩୪୫୬-୭୬୮ ଏବଂ ଅନ୍‌ଲାଇନ ମାଧ୍ୟମରେ ଅଭିଯୋଗ ଜଣାଇପାରିବେ । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡିଓମାନଙ୍କ ମଧ୍ୟରେ ସଂମ୍ପୃକ୍ତ ଘରର ଫଟୋ ଉଠାଯାଇ ଜିଓ ଟ୍ୟାଙ୍ଗି କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ । ଗ୍ରାମାଞ୍ଚଳରେ ଏହି ଯୋଜନା ମାଧ୍ୟମରେ ବ୍ୟାପକ ପକ୍କା ଘର ନିର୍ମାଣ କରାଯାଇ ବନ୍ୟା, ବାତ୍ୟା, ବର୍ଷା ଏବଂ ହାତୀ ଉପଦ୍ରବରୁ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ରକ୍ଷା କରାଯାଇ ପାରିବ ଓ କଚ୍ଚା ଘର ଶୂନ୍ୟ ରାଜ୍ୟ ଭାବେ ଓଡିଶା ପରିଗଣିତ ହେବ ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ ପ୍ରକାଶ କରିଛନ୍ତି । ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 + eighteen =

error: Content is protected !!