ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ମେଧାବୀ ଛାତ୍ର ବାହାର ରାଜ୍ୟରେ ହାସିଲ କରିଛନ୍ତି ଗୋଲ୍ଡ ମେଡାଲ ଏବଂ ରାଜ୍ୟ ତଥା ବଲାଙ୍ଗିର ପାଇଁ ଆଣି ଦେଇଛନ୍ତି ଗର୍ବ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଛାତ୍ର ମହମ୍ମଦ ଆଲିରାଜା ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ସେ ୨୦୧୯-୨୦ ବର୍ଷ ପାଇଁ ଛତିଶଗଡ଼ ରାଜ୍ୟ ରାୟପୁର ସ୍ଥିତ ରାୱତପୁରା ସରକାର ୟୁନଭରସିଟିରେ ଏମ୍ଫିଲ୍ ବାଣିଜ୍ୟ ପାଠ୍ୟକ୍ରମରେ ନାମ ଲେଖାଇଥିଲେ ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷାରେ ସେ ୮୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଗତକାଲି ୟୁନଭରସିଟିରେ ଆୟୋଜିତ ହୋଇଥିବା ସମାବର୍ତ୍ତନ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ମାନ୍ୟବର ସୁଶ୍ରୀ ଅନୁସୁୟା ଉକେଙ୍କ ହାତରୁ ଏଥି ପାଇଁ ଗୋଲ୍ଡ ମେଡାଲ ଗ୍ରହଣ କରିଥିଲେ । ତେବେ ଏହି ସମାବର୍ତ୍ତନ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଡାକ୍ତର ବିରେନ୍ଦ୍ର କୁମାର, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ଛତିଶଗଡ଼ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ, ଛତିଶଗଡ଼ ଶିକ୍ଷା ମନ୍ତ୍ରୀ ଉମେଶ ନନ୍ଦ କୁମାର ପଟେଲ, ଛତିଶଗଡ଼ ଖାଦ୍ୟ ଯୋଗାଣ ଓ ସଂସ୍କୃତି ମନ୍ତ୍ରୀ ଅମରଜିତ୍ ଭଗତ, ଛତିଶଗଡ଼ ସ୍କୁଲ ଶିକ୍ଷା ମନ୍ତ୍ରୀ ପ୍ରେମ ସାଏ ସିଂ ଟେକମଙ୍କ ସହ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେପଟେ ବଲାଙ୍ଗିର ଜିଲ୍ଲାର ଛାତ୍ର ମହମ୍ମଦ ଆଲିରଜାଙ୍କ ଏହି ଉପଲବ୍ଧି ପାଇଁ ତାଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।
Prev Post
Next Post