jsm

ସାରସ୍ୱତ ସାଧକ ବକୁଳବନର ବାଗ୍ମୀ ପଣ୍ଡିତ ଗୋଦାବରୀଶ ମିଶ୍ର ଜୟନ୍ତୀ ପାଳିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାରସ୍ୱତ ସାଧକ ବକୁଳବନର ବାଗ୍ମୀ ପଣ୍ଡିତ ଗୋଦାବରୀଶ ମିଶ୍ର ୧୩୬ତମ ଜୟନ୍ତୀ ଇସ୍ପାତ ମାର୍କେଟଠାରେ ଅନୁଷ୍ଠିତ ହୋଇଯାଇଛି । କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ତଥା ସମାଜସେବୀ ସୁମନ ଦତ୍ତ ମୁଖ୍ୟଅତିଥି, କବି ରାଜୀବ ପାଣି ମୁଖ୍ୟବକ୍ତା, ଇସ୍ପାତ ମାର୍କେଟ ବଣିକ କଲ୍ୟାଣ ସଂଘର ସାଧାରଣ ସଂପାଦକ ମୂରଲୀଧର ମିଶ୍ର ଓ ମାର୍କେଟ କମିଟିର ପ୍ରାକ୍ତନ ସଭାପତି ହରିହର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଣ୍ଡିତଙ୍କ ଜୀବନାଦର୍ଶ ଓ ସାରସ୍ୱତ ସାଧନା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦତ୍ତ ନିଜ ବକ୍ତବ୍ୟରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଏକାଧାରାରେ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷାବିତ୍, ନିଃସ୍ୱାର୍ଥପର ଜନସେବକ, ପ୍ରବୀଣ ରାଜନୀତିଜ୍ଞ ଏବଂ ଓଡିଆ ଭାଷା ଓ ସାହିତ୍ୟର ଏକନିଷ୍ଠ ପୂଜାରୀ ଭାବରେ ଏକ ଉତ୍ତୁଙ୍ଗ ଶାସନର ଅଧିକାରୀ ଭାବେ ଅବିହିତ କରିଥିଲେ । ମୁଖ୍ୟବକ୍ତା କବି ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ ପଣ୍ଡିତଙ୍କ କାନ୍ତ, କୋମଳ, ଭାବମୟ ତଥା ମଧୁମୟ ଗାଥା ଓ ଗୀତିକବିତା ମାନ ଯୁଗେ ଯୁଗେ ଆମ ସାହିତ୍ୟର ଅମୂଲ୍ୟ ଓ ଅକ୍ଷୟ ସଂପଦ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ମିଶ୍ର ଓ ଶ୍ରୀ ସାହୁ ପଣ୍ଡିତଙ୍କ ଗଭୀର ଜାତୀୟତାବୋଧ, ସ୍ୱଦେଶପ୍ରୀତି, ଐତିହ୍ୟ ଅନୁରକ୍ତି ସଂପର୍କରେ ଆଲୋକପାତ କରି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ ରାୟ, ଶରତ ଚନ୍ଦ୍ର ପଣ୍ଡା, ଚନ୍ଦ୍ରଶେଖର ପାଇକରାୟ, ଅଭିରାମ ପ୍ରଧାନ, ପ୍ରଦୀପ କୁମାର ମିଶ୍ର, ସଂଜୟ ତ୍ରିପାଠୀ, ରତିକାନ୍ତ ଆଚାର୍ଯ୍ୟ, କୁଞ୍ଜବିହାରୀ ରାଉତ, ରାଜେନ୍ଦ୍ର ସିଂହ, ଏମ୍‌ଡି ଅଖତର ହୁସେନ, ଏମ୍‌ଡି ସକିଲ ଖାନ, ରବିନାରାୟଣ ବିହାରୀ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆବାହକ ଶ୍ରୀ ମହାପାତ୍ର ପ୍ରାରମ୍ଭରେ ପଣ୍ଡିତଙ୍କ ଜୀବନୀ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.