
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ବିଳମ୍ବିତ ରାତ୍ରୀରେ ସୋନପୁର ସହରରେ ଥିବା ଗ୍ରୀନ ପାର୍କ ହୋଟେଲରେ ଚାଲିଥିବା ସେକ୍ସ ରାକେଟ୍ର ପର୍ଦ୍ଦାଫାଶ କରିଛି ସୋନପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ନାରାୟଣ ନାୟକ । ଗତକାଲି ବିଳମ୍ବିତ ରାତିରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁରର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋନପୁରର ଏସ୍ଡିପିଓ ଏବଂ ସଦର ଥାନା ଅଧିକାରୀ ଆଇଆଇସି ଯାଦବ ବାଗଙ୍କ ତତ୍ତ୍ୱାବଧାନରେ ପୋଲିସର ଏକ ସ୍ପେଶାଲ୍ ଟିମ୍ ସୋନପୁର ସହରର ନୂତନ ଡ଼ାକ୍ତରଖାନା ସାମନାରେ ଥିବା ଏକ ଭଡା ଘରେ ପ୍ରଥମେ ଚଢାଉ କରିଥିଲେ । ଚଢାଉ ସମୟରେ ଉକ୍ତ ଭଡା ଘରେ ଜଣେ ମହିଳା ଓ କିଛି ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ଏହି ତଥ୍ୟକୁ ଆଧାର କରି ଉକ୍ତ ମହିଳା ଓ ସେହି ଘର ମାଲିକକୁ ପଚରା ଉଚୁରା କରିବା ସମୟରେ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ହୋଟେଲ ଗ୍ରୀନ ପାର୍କରେ କିଛି ମହିଳା ମାନଙ୍କୁ ନେଇ ଅନୈତିକ କାର୍ଯ୍ୟ କଳାପ ଚାଲୁଥିବା ସୂଚନା ମିଳିଥିଲା । ଉକ୍ତ ଟିମ ତୁରନ୍ତ ହୋଟେଲ ଗ୍ରୀନ ପାର୍କରେ ଚଢାଉ କରିଥିଲା ସମୟରେ ଉକ୍ତ ହୋଟେଲର ୫ ଟି କୋଠରୀରେ ୫ ଜଣ ପୁରୁଷ ଏବଂ ୫ ଜଣ ମହିଳା ଆପତ୍ତିଜନକ ଅବସ୍ଥାରେ ମିଳିଥିଲେ । ପଚରାଉଚରା ସମୟରେ ସେମାନଙ୍କୁ ରହଣିର କାରଣ ଓ ବୈଧ ପ୍ରମାଣ ପତ୍ର ଦେଇ ପାରି ନଥିଲେ । ପରେ ସନ୍ଦିଗ୍ଧ ବ୍ୟକ୍ତିମାନେ ଏହି ଅନୈତିକ କାର୍ଯ୍ୟରେ ଲିପ୍ତ ହେବାରେ ଦୋଷ ସ୍ୱୀକାର କରିଥିଲେ । ପରେ ପୋଲିସ ୫ ଜଣ ଗ୍ରାହକ, ଗ୍ରୀନ ପାର୍କ ହୋଟେଲର ପରିଚାଳକ ଏବଂ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଥିବା ଭଡା ଘରର ପରିଚାଳକ ମୋଟ ୭ ଜଣଙ୍କୁ ଅଟକ ରଖାଯାଇଥିଲା ଏବଂ ୫ଜଣ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଏନେଇ ସୋନପୁର ଥାନା କେସ୍ ନଂ ୧୯୫/ ୨୪.୦୫.୨୦୨୬ ଧାରା ୩/୪/୫/୬/୭ ଅନୈତିକ ଟ୍ରାଫିକ୍ (ନିବାରଣ) ଆଇନ ୧୯୫୬ ଅନୁଯାୟୀ ମାମଲା ରୁଜୁ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୋନପୁର ଗଡଭିତରର ଆଷୁତୋଷ ପୂଜାରୀ(୫୦), ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ତାପଡୋଲ ଗ୍ରାମର ଅଜିତ କୁମାର ସାହୁ(୩୪), ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା କମଲପୁର ଗ୍ରାମର ମହେନ୍ଦ୍ର ମେହେର (୨୯), ଉଲୁଣ୍ଡା ଥାନା ଗୌଡ ଗାଁର ପ୍ରାଣ କିଶୋର ବାଗ (୨୫), ସୁବଳୟା ଥାନା ବଡଖମାର ଗାଁର ସତ୍ୟଞ୍ଜୟ ନାଏକ (୨୯), ସମ୍ୱଲପୁର ଜିଲ୍ଲା ଚାରମାଳ ଥାନା ଟୁଟାମୁଣ୍ଡା ଗାଁର ଗୋପାଳ ଭୋଇ (୩୫) ଓ ସୋମିତ୍ରି ମଲ୍ଲିକ (୪୦) । ଏବଂ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଯୁବତୀ ତଥା ମହିଳାମାନେ ସମସ୍ତେ ବାହାର ଜିଲ୍ଲାର ହୋଇଥିବା ବେଳେ କେବଳ ଜଣେ ତରଭା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଆଜି ସମସ୍ତ ୭ ଜଣଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଲାଣ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହି କେସର ପୀଡ଼ିତାଙ୍କୁ ସେମାନଙ୍କ ଅଭିଭାବକ ଏବଂ ନାରୀ ସୁରକ୍ଷା କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି । ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଉପ ଆରକ୍ଷୀ ଅଧିକ୍ଷକ କେ.କେ ହରିପ୍ରସାଦ ଓ ଆଇଆଇସି ଯାଦବ ବାଗ ଉପସ୍ଥିତ ଥିଲେ ।