ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚ୍‌ଓଡି ଯୁକ୍ତେଶ୍ୱର ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ତୁରଲା ଗ୍ରାମରେ ଅବସ୍ଥିତ ଥିବା ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚ୍‌ଓଡି ଯୁକ୍ତେଶ୍ଵର ମହାପାତ୍ରଙ୍କୁ ଗତ ୨୫ ତାରିଖ ଗୁରୁବାର ଅପରାହ୍ନ ୨ଟା ସମୟରେ କଲୋନୀରୁ ଫେକ୍ଟ୍ରିକୁ ଯାଉଥିବା ବେଳେ ୩ ଜଣ ଯୁବକ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ୩ ଜଣଙ୍କ ଭିତରୁ ଉମାକାନ୍ତ ପାତ୍ରକୁ ଚିହ୍ନି ଥିଲେ ଶ୍ରୀ ମହାପାତ୍ର । ଶ୍ରୀ ମହାପାତ୍ର ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ପ୍ରଥମେ ଚିକିତ୍ସିତ ହେବା ପରେ ଥାନାକୁ ଯାଇ ଅଭିଯୋଗ ଦାୟର କରିଥିଲେ । ରିପୋର୍ଟ କରିବା ପରେ ଟିଟିଲାଗଡ଼ ପୋଲିସ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ରଞ୍ଜନ କୁମାର ବାରିହାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି କିଏ କିଏ ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲେ ସେମାନଙ୍କୁ ଧରିବା ପାଇଁ ଖୋଜା ଖୋଜି କରିବା ପରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନେ ହେଲେ କମ୍ପାନୀରେ ପୂର୍ବରୁ କାମ କରୁଥିବା ସୁପରଭାଇଜର ଉମାକାନ୍ତ ପାତ୍ରଙ୍କ ସହ ବିକାଶ ନାଗ ଓ ନରେନ୍ଦ୍ର ବେହେରା । ରବିବାର ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ ଉମାକାନ୍ତ ପାତ୍ର ୫ ମାସ ପୂର୍ବେ କମ୍ପାନୀରେ କାମ କରୁଥିବା ସମୟରେ ଆଉ ଜଣେ କର୍ମଚାରୀ ଶିବାନନ୍ଦ ରଣାଙ୍କ ସହ ବିନା କାରଣରେ ଝଗଡ଼ା କରିଥିବା ଯୋଗୁଁ ମେନେଜମେଣ୍ଟ ଉମାକାନ୍ତ ପାତ୍ରଙ୍କୁ ବିଶୃଙ୍ଖଳା ଆଚରଣ କରିଥିବା ଯୋଗୁଁ ଚାକିରିରୁ ବହିଷ୍କୃତ କରିଥିଲା । କିନ୍ତୁ ତାଙ୍କୁ ଚାକିରିରୁ ବହିଷ୍କାର ପଛରେ ମେନେଜରଙ୍କ ହାତ ଅଛି ଭାବି ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ଆକ୍ରମଣ ଘଟଣାରେ ବ୍ୟବହୃତ ହୋଇଥିବା ଏକ ଆଇରନ ରଡ୍‌ ଓ ଦୁଇଟି ମଟର ସାଇକେଲ ପୋଲିସ ଜବତ୍‌ କରିଛି ।

Leave A Reply

Your email address will not be published.

19 − nine =