ବରବେଶରେ ଗିରଫ ହେଲେ ବଳାତ୍କାର କରିଥିବା ଅଭିଯୁକ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ଗଭର୍ବତୀ କରିବା ଅଭିଯୋଗରେ ଗତ ୨୦୧୭ ମସିହାରୁ ଫେରାର ଥିବା ଅଭିଯୁକ୍ତଙ୍କୁ ସୋମବାର ବରବେଶରେ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଭଟଲି ଥାନା କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଜଗତିପାଲି ଗ୍ରାମର କାଳିଆ ଓରଫ ଭାସ୍କର ବରିହା(୨୮) । ତାଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଏ ନେଇ ପୂର୍ବରୁ ଭଟଲି ଥାନା ପୋଲିସ ତାଙ୍କ ବିରୋଧରେ ଦଫା ୩୭୬ (୨) (ଏନ), ୩୧୩, ୫୧୧, ୨୯୪, ୫୦୬ ଆଇପିସି ଏବଂ ୪, ୬ ପକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ପ୍ରକାଶ ଯେ, ଗିରଫ ଅଭିଯୁକ୍ତ କାଳିଆ ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ୨୦୧୭ ମସିହାରେ ନାବାଳିକା ଜଣକ ଗର୍ଭବତୀ ହେବା ଜାଣିବା ପରେ ସେ ଆଉ ଧରାଛୁଆଁ ଦେଇ ନ ଥିଲେ ଏବଂ ଫେରାର୍‌ ହୋଇ ଯାଇଥିଲେ । ନାବାଳିକାଙ୍କ ପରିବାର ଲୋକେ ଏହା ଜାଣି ସେ ସମ୍ପର୍କରେ ଥାନାରେ ଏତଲା ଦେବା ପରେ ଭଟଲି ପୋଲିସ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ଜଣକ ତାମିଲନାଡୁକୁ ଫେରାର୍‌ ହୋଇଯାଇଥିବା ସୂଚନା ପାଇ ପୋଲିସ ସେଠାକୁ ୨ଥର ଯାଇ ଖାଲି ହାତରେ ଫେରିଥିଲା । ଇତିମଧ୍ୟରେ ଅଭିଯୁକ୍ତ ଜଣକ ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଖରମୁଣ୍ଡା ଗ୍ରାମର ନିଜ ମାମୁଁ ଘରେ ଆତ୍ମଗୋପନ କରିଥିଲେ ଏବଂ ଛତିଶଗଡ଼ ରାଜ୍ୟ ଲେନ୍ଧ୍ରା ଗ୍ରାମର ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା । ସୋମବାର ବିବାହୋତ୍ସବ ଥିଲା । କାଳିଆ ଯିବା ପାଇଁ ବରବେଶରେ ବାହାରିଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା । ଘଟଣାଟି ଭଟଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.

eleven − five =

error: Content is protected !!