
ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳରେ ବ୍ୟାପକ ଭାବେ ଘୁଡ଼ୁଘୁଡୁ ପଟି ଜୁଆଖେଳ ଚାଲିଛି । ଅଞ୍ଚଳର କୌଣସି ଯାନିଯାତ୍ରା ଅଥବା ମନ୍ଦିର ପ୍ରତିଷ୍ଠା ହେଉ, ସବୁଠି ଘୁଡୁଘୁଡୁ ପଟି ଜୁଆଖେଳ ଚାଲିଛି । ଯାନିଯାତ୍ରା ଅଥବା ପର୍ବପର୍ବାଣୀ ସମୟରେ ଜୁଆଖେଳକୁ ରାଜ୍ୟ ସରକାର ବନ୍ଦ କରିଥିବା ବେଳେ ଏହି ଅଞ୍ଚଳରେ କିନ୍ତୁ ଅବାଧ ଭାବେ ଜୁଆଖେଳ ଚାଲିଛି । ସରକାରୀ ନିର୍ଦ୍ଦେଶକୁ ଫୁ’ କରି ସ୍ଥାନୀୟ ପୋଲିସ, ଆୟୋଜକ ତଥା କିଛି କୁଜିନେତାଙ୍କ ବୁଝାମଣାରେ ସୁରୁଖୁରୁରେ ଚାଲିଛି ଏହି ଘୁଡୁଘୁଡୁ ପଟି ଜୁଆଖେଳ । ଆଉ ଏଥିରୁ ମୋଟା ରକମର ଅର୍ଥ ଯାଉଛି ଖେଳକୁ ସୁରକ୍ଷା ଦେଉଥିବା ଆୟୋଜକ ତଥା ପୋଲିସ ବାବୁଙ୍କ ପକେଟକୁ । ଏପଟେ ଜୁଆଖେଳ ଚାଲିଥିବା ନେଇ ପୋଲିସକୁ ଖବର ଦେଲେ ସେମାନେ ଧରପଗଡ ଅପେକ୍ଷା ଆୟୋଜକଙ୍କୁ ଖବର ଦେଇ ଦେଉଛନ୍ତି, ଯେଭଳି ସତରେ ସେମାନେ କିଛି ଜାଣିନାହାନ୍ତି । ଓଲଟା ପୋଲିସକୁ ଖବର ଦେଉଥିବା ବ୍ୟକ୍ତିଙ୍କୁ ନାଲିଆଖି ଦେଖାଇବା ସହିତ “ଆପଣ ଜୁଆ ଖେଳାଳି କି କେମିତି ଖବର ପାଇଲେ ଅଭିଯୋଗ ମିଛ” ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଜୁଆଖେଳ ଗ୍ରାମୀଣ ଅର୍ଥନୀତିକୁ ବିଗାଡିବା ସହିତ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ବଢ଼ାଇବା ଦିଗରେ ସହାୟକ ହେଉଛି । ଅପରପକ୍ଷେ ଘୁଡୁଘୁଡୁ ପଟି ମାଲିକ, ଆୟୋଜକ ତଥା ଏହାକୁ ସୁରକ୍ଷା ଦେଉଥିବା ପୋଲିସ ବାବୁମାନଙ୍କ ପାଇଁ ଏହା ଏକ ଲାଭଜନକ ବେପାର ସାଜିଛି । ସଂପ୍ରତି ଆଗଲପୁର ଥାନା ରୋତ୍ ଅଞ୍ଚଳରେ ଚାଲିଥିବା ଘୁଡୁଘୁଡୁ ପଟି ଖେଳ ବେଶ ଚର୍ଚ୍ଚାରେ ରହିଛି । ଵଲାଙ୍ଗିର ଜିଲ୍ଲା ପୋଲିସ ମୁଖିଆ ଛଦ୍ମବେଶରେ ତଥା ଗୋପନୀୟ ଭାବେ ସ୍ଥାନୀୟ ପୋଲିସକୁ ସୂଚନା ନଦେଇ ଚଢାଉ କଲେ ଏହି ଜୁଆଖେଳର ଗୁମର ଫିଟିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।